Categories: ବାଣିଜ୍ୟ

ଦୀପାବଳି ସୁଦ୍ଧା ସୁନା ୪୦ ହଜାର ଛୁଇଁବ

ନୂଆଦିଲ୍ଲୀ,୧୮ -୮: ବିଶ୍ୱରେ ଭୂ-ରାଜନୈତିକ ଓ ବାଣିଜ୍ୟ ଯୁଦ୍ଧ କାରଣରୁ ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୀପାବଳି ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସାଧାରଣତଃ ଅର୍ଥନୀତି ଓ ରାଜନୈତିକ ଅସ୍ଥିରତା ଦୃଷ୍ଟିଗୋଚର ହେବା କ୍ଷେତ୍ରରେ ନିବେଶକମାନେ ସୁନାରେ ନିବେଶ ପ୍ରତି ଅଧିକ ଜୋର୍‌ ଦେଇଥାନ୍ତି। କାରଣ ଏହା ସୁରକ୍ଷିତ ନିବେଶ ବୋଲି ମନେ କରାଯାଏ। ବର୍ତ୍ତମାନ ସର୍ରାଫା ବଜାରରେ ସୁନା ଦାମ ୩୮ ହଜାର ପାଖାପାଖି ରହିଛି। ଆଞ୍ଜେଲ ବ୍ରୋକିଂର ଅନୁଜ ଗୁପ୍ତାଙ୍କ କହିବାନୁଯାୟୀ ଆମେରିକା-ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଢ଼ିଲା ପଡିବାର ସଙ୍କେତ ମିଳିବା ପରେ ସୁନା ଦର କମିବା ସମ୍ଭାବନା ରହିଛି। ତେବେ ଦୀପାବଳି ସୁଦ୍ଧା ସୁନା ଦର ୩୯ ହଜାରରୁ ୪୦ ହଜାର ଟଙ୍କା ଛୁଇଁବ ବୋଲି ଆଶାକରାଯାଉଛି। ବିଶ୍ୱରେ ମାନ୍ଦାବସ୍ଥା ମାଡି ଆସୁଥିବା ପରିପ୍ରେକ୍ଷୀରେ ବଜାରରେ ସୁନା ଚାହିଦା ବଢ଼ିବାରେ ଲାଗିଛି। ଏହି କାରଣରୁ ଦର ବୃଦ୍ଧି ଘଟୁଛି। ଗୋହରିଂ ଆଣ୍ଡ ରୋଜେଙ୍କଓ୍ବାଜଗ ରିପୋର୍ଟରେ ଏହାର ନିବେଶକଙ୍କୁ ସୁନା କିଣିବା ଲାଗି ପରାମର୍ଶ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସୁନାର ବୁଲ୍‌ ମାର୍କେଟ ଆରମ୍ଭ ହୋଇଯାଇଛି।

Share