ଦୀପାବଳି ପାଇଁ ଲାଗେ ଗଧ ହାଟ: ଦାମ୍‌ ଲକ୍ଷେ ଟଙ୍କା

ଚିତ୍ରକୂଟ,୧୯।୧୦: ପ୍ରଭୁ ଶ୍ରୀରାମଙ୍କ ତପସ୍ୟା ସ୍ଥଳ ଚିତ୍ରକୂଟରେ ଦୀପାବଳି ଅବସରରେ ୩ ଦିନ ପାଇଁ ମନ୍ଦାକିନୀ ନଦୀ କୂଳରେ ଲାଗେ ଐତିହାସିକ ଗଧ ହାଟ। ଏଠାକୁ ଆସୁଥିବା ଗଧମାନଙ୍କର ନାଁ କୌଣସି ଫିଲ୍ମ ଷ୍ଟାର ଅବା ରାଜନେତାଙ୍କ ନାମ ଅନୁସାରେ ରଖାଯାଇଥାଏ। ଆଉ ଏହି ଗଧ ଗୁଡିକ ଲକ୍ଷ ଲକ୍ଷ ଟଙ୍କାରେ କିଣାବିକା ହୋଇଥାଆନ୍ତି। ବିଶେଷ କରି ଅଭିନେତ୍ରୀଙ୍କ ନାଁ ଦିଆଯାଇଥିବା ଗଧଙ୍କର ଅଧିକ ଚାହିଦା ଥାଏ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟବସାୟୀମାନେ ଏଠାରେ କୋଟି କୋଟି ଟଙ୍କା ବ୍ୟବସାୟ କରିଥାଆନ୍ତି। ମୋଗଲ ଶାସକ ଔରଙ୍ଗଜେବ୍‌ ଏହି ମେଳାର ଆରମ୍ଭ କରିଥିବା କୁହାଯାଏ। ସେନାଙ୍କୁ ନେଇ ଦେଶ ଭ୍ରମଣ କରିବା ସମୟରେ ସେନାଙ୍କ ନିକଟରେ କମ୍‌ ଘୋଡା ଥିବା ଜାଣିବା ପରେ ସେ ଏହି ହାଟ ଆରମ୍ଭ କରିଥିଲେ। ଆଉ ଏଠାକୁ ଆଫଗାନିସ୍ତାନରୁ ଗଧ ଓ ଖଚର ବିକ୍ରି ପାଇଁ ଆସନ୍ତି ବୋଲି କୁହାଯାଏ। ଏହି ଗଧମାନଙ୍କୁ ନେଇ ପରବର୍ତ୍ତି ସମୟରେ ସେନାରେ ରଖାଯାଉଥିଲା। ସେବେଠାରୁ ଆରମ୍ଭ ହୋଇଥିବା ଏହି ଗଧ ମେଳା ଆଜି ପର୍ଯ୍ୟନ୍ତ ଚାଲି ଆସୁଛି। ଏଠାକୁ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ବିହାର, ରାଜସ୍ଥାନ, ଦିଲ୍ଲୀ, ଝାଡଖଣ୍ଡ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ନେପାଳର ବ୍ୟବସାୟୀମାନେ କିଣାବିକା କରିବାକୁ ଆସିଥାଆନ୍ତି। ତେବେ ଗତବର୍ଷ ଏଠାରେ ୫ ଲକ୍ଷ ଟଙ୍କାରେ ଗଧ ବିକ୍ରି ହୋଇଥିବା ଶୁଣିବାକୁ ମିଳେ।

Share