Categories: ଖେଳ

ଦୀପା ପିସିଆଇର ନୂଆ ସଭାପତି

ନୂଆଦିଲ୍ଲୀ, ୨।୨(ପି.ଟି.)- ପାରା ଅଲିମ୍ପିକ ଗେମ୍ସରେ ପଦକ ଜିତିଥିବା ପ୍ରଥମ ଓ ଏକମାତ୍ର ଭାରତୀୟ ମହିଳା ଆଥ୍‌ଲେଟ୍‌ ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ କମିଟି (ପିସିଆଇ)ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୪୯ ବର୍ଷୀୟା ଦୀପା ୨୦୧୬ ରିଓ ପାରା ଅଲିମ୍ପିକ୍ସ ଗେମ୍ସର ଶଟ୍‌ପୁଟ୍‌ (ଏଫ୍‌-୫୩) ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ପିସିଆଇ ନିର୍ବାଚନରେ ଏହି ହରିୟାଣା ତାରକା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ‘ପରିବର୍ତ୍ତନ ପାଇଁ ଏହା ମୋ ଲାଗି ଏକ ବଡ଼ ସୁଯୋଗ। ସମସ୍ତଙ୍କ ସମର୍ଥନ ମୋତେ ମିଳିବାର ବିଶ୍ୱାସ ରହିଛି’ ବୋଲି ଦୀପା ଟୁଇଟ୍‌ କରି କହିଛନ୍ତି। ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ସମେତ ପଦ୍ମଶ୍ରୀ ପୁରସ୍କାର ମଧ୍ୟ ଦୀପା ଜିତିଛନ୍ତି। ୨୦୧୧ ଆଇପିସି ବିଶ୍ୱ ଚାମ୍ପିୟନଶିପ୍‌ର ଶଟ୍‌ପୁଟ୍‌ (ଏଫ୍‌ ୫୨-୫୩)ରେ ମଧ୍ୟ ସେ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ୨୦୧୮ରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଦୀପା ଉଭୟ ଡିସ୍‌କସ୍‌ (ଏଫ୍‌ ୫୨-୫୩) ଓ ଜାଭେଲିନ୍‌ ଥ୍ରୋ (ଏଫ୍‌ ୫୩-୫୪)ରେ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ।
ନିର୍ବାଚନରେ ଦୀପାଙ୍କ ବ୍ୟତୀତ କଭେନ୍ଦ୍ର ଚୌଧାରୀ ଓ ଶଶିରଞ୍ଜନ ପ୍ରସାନ ସିଂ ଉପ ସଭାପତି, ଏମ୍‌. ମହାଦେବ କୋଷାଧ୍ୟକ୍ଷ ଏବଂ ନେଲ୍‌ ନନ୍ଦକିଶୋର ବାବୁରାଓ ଓ କାନ୍ତିଲାଲ ପରମାର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କ୍ରୀଡ଼ା ନୀତିର ଉଲ୍ଲଂଘନ ଯୋଗୁ ଗତ ସେପ୍ଟେମ୍ବରରେ କ୍ରୀଡ଼ାମନ୍ତ୍ରୀ ପିସିଆଇ ମାନ୍ୟତା ପ୍ରତ୍ୟାହାର କରିନେଇଥିଲେ।

Share