ମୁମ୍ବାଇ,୧୪।୧: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ହୋଇଥିବା ହିଂସା ପରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ସେଠାକୁ ଗସ୍ତ କରିଥିଲେ। ସେଠାରେ ସେ ବିରୋଧ ପ୍ରଦର୍ଶନକାରୀ ଛାତ୍ରଙ୍କ ସମେତ ଆହତ ଛାତ୍ରଙ୍କୁ ମଧ୍ୟ ଭେଟିଥିଲେ। ଏହାପରେ ଦୀପିକାଙ୍କ ଗସ୍ତକୁ ନେଇ ବିବାଦ ମୁଣ୍ଡ ଟେକିଥିଲା। ଏମିତିକି ତାଙ୍କ ଅଭିନୀତ ଫିଲ୍ମ ‘ଛପାକ’କୁ ମଧ୍ୟ ବିରୋଧ କରାଯାଇଥିଲା। ଏବେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ଏହାକୁ ନେଇ କେତେଜଣ ନେତା ନିଜ ନିଜର ମତ ରଖି ସାରିଥିବା ବେଳେ ଏବେ ଯୋଗଗୁରୁ ବାବା ରାମଦେବ ତାଙ୍କ ମତ ରଖିଛନ୍ତି। ସେ କହିଛନ୍ତି ଦୀପିକାଙ୍କର ଅଭିନୟରେ ଜ୍ଞାନ ରହିଥାଇପାରେ। ହେଲେ ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ଜ୍ଞାନ ପାଇଁ ତାଙ୍କୁ ଆହୁରି ପଢିବା ଓ ବୁଝିବା ଦରକାର। ଏମିତିକି ତାଙ୍କୁ ଏ ସମ୍ପର୍କରେ ଜ୍ଞାନ ଦେବାକୁ ମୋ ଭଳି ଜଣେ ପରାମର୍ଶଦାତା ରଖିବା ଆବଶ୍ୟକ। ଏହାପରେ ଯାଇ ସେ ନିର୍ଣ୍ଣୟ ନେବା ଦରକାର। ମଧ୍ୟପ୍ରଦେଶରେ ଖବରଦାତାଙ୍କ ସହ କଥା ହେବା ସମୟରେ ବାବା ରାମଦେବ ଏହା କହିଛନ୍ତି।