ଦାରିଙ୍ଗବାଡି,୬।୧(ଅରୁଣ ସାହୁ): ଦୀର୍ଘଦିନ ବ୍ୟବଧାନ ପରେ ଦାରିଙ୍ଗବାଡି ଅବକାରୀ ବିଭାଗ ପକ୍ଷରୁ ଗ୍ରୀନବାଡି ପଞ୍ଚାୟତ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଚୋରାମଦ କାରବାର ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବରପାଇ ସୋମବାର ଏହି ଚଢ଼ାଉ କରିଥିଲା। ବିଭାଗର ଅଧିକାରୀ ପ୍ରକାଶଚନ୍ଦ୍ର ମଲିକଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀମାନେ ସଦଳବଳେ ଚଢ଼ାଉ କରିଥିଲେ।
ଏହି ସମୟରେ ଚୋରା ମଦକାରବାରରେ ଲିପ୍ତଥିବା ବ୍ୟବସାୟୀମାନେ ମହୁଲ, ଗୁଡ଼ ଓ ଚିନିରେ ପ୍ରସ୍ତୁତ ହୋଇଥିବା ପୋଚକୁ ବିଭିନ୍ନ ସ୍ଥାନରେ ମାଟିତଳେ ପୋତି ଲୁଚାଇ ରଖିଥିଲେ। ବିଭାଗର କର୍ମଚାରୀମାନେ ମଦ ବ୍ୟବସାୟୀମାନେ ଲୁଚାଇ ରଖିଥିବା ପୋଚକୁ ମାଟିତଳୁ ବାହାର କରି ନଷ୍ଟ କରିଥିଲେ। ଏହି ସମୟରେ ୨ ଶହ ଦେଶୀ ଚୋରା ମଦ ଜବତ କରିବା ସହ ୩ ହଜାର ଲିଟର ପୋଚକୁ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ବିଭାଗର ଅଧିକାରୀ ମଲିକ କହିଛନ୍ତି। ଏହି ଚଢ଼ାଉରେ ବିଭାଗର ଏଏସ୍ଆଇ ନିରଞ୍ଜନ ବେହେରା, କନେଷ୍ଟବଳ କଂଗ୍ରେସ ବେହେରା ପ୍ରମୁଖ ସାମିଲ ହୋଇଥିଲେ।