Categories: ଜାତୀୟ

ଦୀର୍ଘ ୪୯ବର୍ଷ ପରେ ସଂସଦରେ ବଜେଟ ଉପସ୍ଥାପନ କଲେ ଜଣେ ମହିଳା

ନୂଆଦିଲ୍ଲୀ, ୫।୭: ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ନିର୍ମଳା ସାତାରାମନ୍‌। ୧୯୭୦-୭୧ରେ ପ୍ରଧାନମନ୍ତ୍ରୀ ଥିବାବେଳେ ଇନ୍ଦିରା ଗାନ୍ଧୀ ନିଜ ପାଖରେ ଅର୍ଥ ମନ୍ତ୍ରଣାଳୟ ରଖିଥିଲେ। ଫଳରେ ସଂସଦରେ ତାଙ୍କୁ ବଜେଟ୍‌ ଉପସ୍ଥାପନ କରିବାକୁ ପଡିଥିଲା। ଦୀର୍ଘ ୪୯ ବର୍ଷ ପରେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ନିର୍ମଳା। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ନିର୍ମଳାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗଭୀର ଆସ୍ଥା ସ୍ଥାପନ ପୂର୍ବକ ତାଙ୍କୁ ଦ୍ୱିତୀୟଥର ସରକାରରେ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ପ୍ରଦାନ କରିଛନ୍ତି।
ନିର୍ମଳାଙ୍କ ଜନ୍ମ ୧୮ ଅଗଷ୍ଟ ୧୯୫୯ରେ ତାମିଲନାଡୁର ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ପିତା ରେଳବାଇର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ଓ ମାଆ ଥିଲେ ଗୃହିଣୀ। ବାପାଙ୍କ ଚାକିରିରେ ବାରମ୍ବାର ବଦଳି ହେଉଥିବାରୁ ସେ ତାମିଲନାଡୁର ବିଭିନ୍ନ ସହରରେ ରହିବାର ସୁଯୋଗ ପାଇଥିଲେ। ନିର୍ମଳା ତାମିଲନାଡୁର ତିରୁଚିରାପଲିରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ। ସେ ଅର୍ଥଶାସ୍ତ୍ରରେ ସ୍ନାତକ କରିଛନ୍ତି। ଏହାପରେ ସେ ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ପଢ଼ିଥିଲେ। ପରେ ସେ ଇଣ୍ଡୋ-ୟୁରୋପିଆନ ଟେକ୍ସଟାଇଲ ଟ୍ରେଡ଼ ବିଷୟରେ ପିଏଚଡି ହାସଲ କରିଥିଲେ। ୨୦୦୮ ମସିହାରେ ସେ ଭାଜପାରେ ଯୋଗ ଦେବାସହ ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ଏହାର ଦୁଇବର୍ଷ ପରେ ସେ ବିଜେପିର ମୁଖପାତ୍ର ହେଲେ। ୨୬ ମେ ୨୦୧୪ରେ ମୋଦୀ ସରକାରରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବାବେଳେ ୩ ଡିସେମ୍ବର ୨୦୧୭ରେ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ କରାଯାଇଥିଲା।

Share