ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ପୃଥିବୀର ବିଭିନ୍ନ ରାଷ୍ଟ୍ର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ଦୁନିଆର ଦୁଃଖୀ ଦେଶ ତୁଳନାରେ ସୁଖୀ ଦେଶରେ ଅଧିକ କରୋନା ସଂକ୍ରମିତ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଓ୍ବାଲର୍‌ଡ ହାପିନେସ୍‌ ଇଣ୍ଡେକ୍ସ୍‌-୨୦୧୯ରେ ସୁଖୀ ଦେଶ ତାଲିକାର ଶ୍ରେଷ୍ଠ ୩ ସ୍ଥାନରେ ଥିବା ଫିନଲାଣ୍ଡ୍‌, ଡେନମାର୍କ ଏବଂ ନରଓ୍ବେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଃଖୀ ଦେଶ ତାଲିକାର ପ୍ରଥମ ୩ ଦେଶ ଦକ୍ଷିଣ ସୁଦାନ, ସିଆର୍‌ ଆଫ୍ରିକା ଏବଂ ଆଫଗାନିସ୍ତାନ ତୁଳନାରେ ଅଧିକ ରହିଛି। କରୋନା ଓ୍ବାଲର୍‌ଡ ମିଟରରେ ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି। ପ୍ରଥମ ୩ ସୁଖୀ ଦେଶରେ ୨୨ ହଜାର ୩୮୪ ଜଣ କରୋନା ସଂକ୍ରମିତ ଥିବାବେଳେ ଏସବୁ ଦେଶରେ ମୃତକଙ୍କ ମୋଟ ସଂଖ୍ୟା ୯୦୫ ରହିଛି। ଅପରପକ୍ଷରେ ପ୍ରଥମ ୩ ଦୁଃଖୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ୫୮୬ ଥିବାବେଳେ ମୃତକଙ୍କ ସଂଖ୍ୟା ୭୨ ରହିଛି। ଗତ ୪ ମାସର କରୋନା ସଂକ୍ରମଣ ତଥ୍ୟରୁ ଜଣାପଡ଼ିଛି ଯେ, ସୁଖୀ ଦେଶରେ ଦୁଃଖୀ ଦେଶ ତୁଳନାରେ କରୋନା ସଂକ୍ରମଣ ହାର ୧୩ ଗୁଣା ଅଧିକ ରହିଛି। ସୁଖୀ ଦେଶ ଫିନଲାଣ୍ଡ୍‌, ଡେନମାର୍କ ଏବଂ ନରଓ୍ବେରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୫୧୭୬, ୯୪୦୭ ଏବଂ ୭୮୦୧ ରହିଛି। ସେହିପରି ଏସବୁ ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୨୨୦, ୪୭୫ ଏବଂ ୨୧୦ ରହିଛି। ଅପରପକ୍ଷରେ ଦୁଃଖୀ ଦେଶ ଦକ୍ଷିଣ ସୁଦାନ, ସିଆର୍‌ ଆଫ୍ରିକା ଏବଂ ଆଫଗାନିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା ଯଥାକ୍ରମେ ୪୫, ୭୨ ଏବଂ ୨୪୬୯ ରହିଛି। ସେହିପରି ଏସବୁ ଦେଶ ମଧ୍ୟରେ କେବଳ ଆଫଗାନିସ୍ତାନରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୭୨ ରହିଛି। ଦକ୍ଷିଣ ସୁଦାନ ଏବଂ ସିଆର୍‌ ଆଫ୍ରିକାରେ କୌଣସି କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିନାହିଁ।

Share