ମାଥିଲି, ୧।୮- ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦୁଲିବେଡା ପଞ୍ଚାୟତ ସଦରରେ ରହୁଥିବା ଅସହାୟ ବୃଦ୍ଧା ଦହନା ପାଙ୍ଗି ଓ ତାଙ୍କ ବିଧବା ଝିଅ ସୁଭଦ୍ରା ପାଙ୍ଗିଙ୍କ ଦୁଃଖ ପ୍ରଶାସନ ବୁଝିଛି । ଅସହାୟ ଭଙ୍ଗା ଦଦରା ଘରେ ଓ ସରକାରୀ ଯୋଜନାରୁ ବାଦ ପଡିଥିବା ଏହି ମାଆ ଝିଅଙ୍କୁ ସରକାରୀ ଯୋଜନାରେ ସାମିଲ କରିଛି ପ୍ରଶାସନ । ଏ ନେଇ ମାଲକାନଗିରି ଉପ ଜିଲାପାଳ ରାମେଶ୍ବର ପ୍ରଧାନ, ମାଥିଲି ବିଡିଓ ଆଶିଷ କୁମାର ଭୋଇ ଓ ମାଥିଲି ତହସିଲଦାର ମଘବାନ ବାଗ ବୁଧବାର ଦହନା ଓ ସୁଭଦ୍ରାଙ୍କୁ ଭେଟିଥିଲେ । ସରକାରୀ ଯୋଜନାରେ ଏହି ଅସହାୟ ମାଆ ଝିଅଙ୍କୁ ସାମିଲ କରିବା ସହ ରେଡକ୍ରସ ତରଫରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷରେ ବୃଦ୍ଧା ଦହନାଙ୍କୁ ବାର୍ଦ୍ଦକ୍ୟ ଭତ୍ତା ଓ ଝିଅ ସୁଭଦ୍ରାଙ୍କୁ ଜୁଲାଇ ମାସର ବିଧବା ଭତ୍ତା ଉଦୁଲିବେଡା ପିଇଓ ଅଶୋକ ମହାରଣା ପ୍ରଦାନ କରିଥିଲେ । ତୁରନ୍ତ ଘର ଟିଏ ଯୋଗାଇ ଦେବାକୁ ପଦକ୍ଷେପ ନେବାକୁ ଉପଜିଲାପାଳ ପ୍ରଧାନ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଦହନା ଓ ତାଙ୍କ ଝିଅ ସୁଭଦ୍ରା କୌଣସି ସରକାରୀ ଯୋଜନାରେ ସାମିଲ ହୋଇ ନ ଥିଲେ। ଅସହାୟ ଅବସ୍ଥାରେ ଥିବାବେଳେ ପିଇଓ ମହାରଣା ସେମାନଙ୍କ ଦୟନୀୟ ଅବସ୍ଥା ଜାଣିବାକୁ ପାଇଥିଲେ ।