Categories: ଖେଳ

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)-
(୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩)
ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା କ୍ରୀଡ଼ାବିତ୍‌ଙ୍କ ଆଦର୍ଶ ପାଲଟିଥିବା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ ଦ୍ୱିତୀୟଥର ପାଇଁ ଏହି ଉଦ୍ୟମ କରୁଥିବାବେଳେ ପ୍ରାଣତ୍ୟାଗ କରିଛନ୍ତି। ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ୧୯୬୬ ଜୁଲାଇ ୭ରେ ଜନ୍ମଗ୍ରହଣ କରିଥିବା କଳ୍ପନା ୨୦୧୯ ମେ ୨୩ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଓଡ଼ିଶାର ପ୍ରଥମ ପର୍ବତାରୋହୀଭାବେ ସେ ୨୦୦୮ ମେ ୨୧ରେ ଏଭରେଷ୍ଟ ଆରୋହଣ କରି ଇତିହାସ ସୃଷ୍ଟି କରିଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପରେ ଅନ୍ୟମାନେ ଏଭରେଷ୍ଟ ଆରୋହଣର ସ୍ବପ୍ନ ଦେଖିଥିଲେ। ଏଭରେଷ୍ଟ ସମେତ ସେ ଭାରତ, ନେପାଳ, ୟୁରୋପ, ଦକ୍ଷିଣ ଆମେରିକା ଓ ଅଷ୍ଟ୍ରେଲିଆର ବିଭିନ୍ନ ଶୃଙ୍ଗ ସଫଳତାର ସହ ଚଢ଼ିଛନ୍ତି। ପୂର୍ବରୁ ୨୦୦୪ ଓ ୨୦୦୬ରେ ସେ ୨ ଥର ଏଭରେଷ୍ଟ ଆରୋହଣର ଉଦ୍ୟମ କରିଥିଲେ ହେଁ ପ୍ରତିକୂଳ ପାଗ ଯୋଗୁ ସମ୍ଭବ ହୋଇ ନ ଥିଲା। ତେବେ ୨୦୦୮ରେ ତାଙ୍କ ସ୍ବପ୍ନ ସାକାର ହୋଇଥିଲା। ତେବେ ଏଭରେଷ୍ଟ ଆରୋହଣର ନିଶା ତାଙ୍କ ମନରୁ ତୁଟି ନ ଥିଲା। ଦ୍ୱିତୀୟ ଥରପାଇଁ ସେ ଅନ୍ୟ ୨ ଜଣଙ୍କ ସହ ଆରୋହଣରେ ଯାଇଥିବାବେଳେ ସେଠାରେ ପ୍ରାଣତ୍ୟାଗ କରିଛନ୍ତି।
କଳ୍ପନା ୨୦୧୦ରେ ଉତ୍ତର ଆମେରିକାର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଡେନାଲି ଆରୋହଣ ଉଦ୍ୟମ କରି ବିଫଳ ହୋଇଥିଲେ। ତେବେ ୨୦୧୪ ଅକ୍ଟୋବର ୯ରେ ସେ ଦକ୍ଷିଣ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ(୫,୮୯୫ ମିଟର) ସଫଳତାର ସହ ଆରୋହଣ କରିଥିଲେ। ଅମ୍ଳଜାନ ବିନା ସେ ଏହି ଆରୋହଣ କରିଥିଲେ। ପରେ ୨୦୧୫ ଜାନୁୟାରୀ ୧୬ରେ ସେ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଶୃଙ୍ଗ ଆନ୍ଦେସ ରେଞ୍ଜ୍‌(୬,୯୬୨ ମିଟର)କୁ ବିନା ଅମ୍ଳଜାନରେ ସଫଳତାର ସହ ଆରୋହଣ କରିଥିଲେ। ସେହିବର୍ଷ ଜୁଲାଇ ୩୧ରେ ସେ ୟୁରୋପର ସର୍ବୋଚ୍ଚ ଶୃଙ୍ଗ କାଉକାସୁସ ରେଞ୍ଜ୍‌(୫,୬୪୨ ମିଟର)କୁ ମଧ୍ୟ ବିନା ଅମ୍ଳଜାନରେ ଆରୋହଣ କରିଥିଲେ। ୨୦୧୫ ଡିସେମ୍ବର ୩ରେ ସେ ଭାରତୀୟ ଶାଢ଼ି ପିନ୍ଧି ବିନା ଅମ୍ଳଜାନରେ ଅଷ୍ଟ୍ରେଲିଆର ମେନ ଲ୍ୟାଣ୍ଡ ମାଉଣ୍ଟ କୋଜିଉସ୍କୋ(୨,୨୨୮ ମିଟର)କୁ ସଫଳତାର ସହିତ ଆରୋହଣ କରିଥିଲେ।
ଶୋକର ଛାୟା
କଳ୍ପନାଙ୍କ ପରଲୋକରେ ଓଡ଼ିଶା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି। ଓଡ଼ିଶାର ଅନ୍ୟତମ ଏଭରେଷ୍ଟ ଆରୋହୀ ଗଣେଶ ଜେନା ଶୋକ ପ୍ରକାଶ କରିବାକୁ ଭାଷା ପାଇ ନାହାନ୍ତି। ଓଡ଼ିଶା ଦୁଃଶାହସିକ କ୍ରୀଡ଼ା ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି। ଆମେ ହାତଗଣତି କେତେଜଣ ଏଭରେଷ୍ଟ ଆରୋହଣ କରିଛୁ।

Share