ଦୁଇଚକିଆ ଯାନରେ ପିଲାଙ୍କ ସୁରକ୍ଷା

ଈପ୍ସିତା ମହାନ୍ତି

୨୦୨୨ ଡିସେମ୍ବର ୨୪ର କଥା। ପରିବାର ସହ ମିଗ୍‌ନଗରୀ ସୁନାବେଡା ଅଭିମୁଖେ ଯାତ୍ରା କରୁଥିବାବେଳେ ଆମ ଆଖି ସାମ୍ନାରେ ଘଟିଗଲା ଏକ ହୃଦୟବିଦାରକ ଘଟଣା। ୨୬ନଂ. ଜାତୀୟ ରାଜପଥ ଉପରେ ଆମ ଆଗେ ଆଗେ ନିଜ ସ୍ତ୍ରୀ ଓ ୩-୪ବର୍ଷର ପୁଅ ତୁଳାରାମକୁ ବସାଇ ଏକ ଦୁଇଚକିଆ ଯାନରେ ଜଣେ ଯୁବକ ଦ୍ରୁତଗତିରେ ଚାଲିଯାଉଥିଲେ। ଅକସ୍ମାତ ଗାଡିରୁ ଗଳିପଡି ନିରୀହ ବାଳକ ତୁଳାରାମ ଗୁରୁତର ହୋଇଥିଲା। ସଙ୍ଗେ ସଙ୍ଗେ ଜଣେ ବ୍ୟକ୍ତିଙ୍କ ସହଯୋଗରେ ସେ ପହଞ୍ଚି ଯାଇଥିଲା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ। ତୁରନ୍ତ ଡାକ୍ତରୀସେବା ପାଇବାରୁ ତୁଳାରାମ ସେଦିନ ନିଶ୍ଚିତ ମରଣମୁହଁରୁ ଫେରି ଆସିଥିଲା ସତ କିନ୍ତୁ ବାସ୍ତବରେ ଆମ ଚାରିପାଖରେ ଏଭଳି ଘଟଣା ପ୍ରତ୍ୟହ ଘଟିଚାଲିଛି। ତଥାପି ଆମେ ଚେତୁନାହୁଁ।
ସଡ଼କ ଦୁର୍ଘଟଣାର ପରିସଂଖ୍ୟାନରେ ଭାରତର ସ୍ଥିତି ଆଜି ଚିନ୍ତାଜନକ। ବିଶ୍ୱରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଥିବା ୧୦ଟି ଦେଶ ମଧ୍ୟରେ ଭାରତ ଶୀର୍ଷରେ ଥିବା ମିଳିତ ଜାତିସଂଘର ରିପୋର୍ଟ କହୁଛି। ଆମ ଦେଶରେ ଦୁଇଚକିଆ ଯାନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିଛି। ଦେଶର କୋଣଅନୁକୋଣର ରାସ୍ତାଘାଟରେ ଆଜି ବିଭିନ୍ନ ନାମୀଦାମୀ କମ୍ପାନୀର ଦୁଇଚକିଆ ଯାନ ଆତଯାତ ହେଉଥିବା ଦୃଶ୍ୟମାନ ହେଉଛି। ଅଧିକାଂଶ ଚାଳକ ଦ୍ରୁତଗତି ସହ ଟ୍ରାଫିକ୍‌ ନିୟମର ଉଲ୍ଲଂଘନ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅବମାନନା କରି ଚାଲିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ବଡମାନଙ୍କର ଦାୟିତ୍ୱହୀନତା ପାଇଁ ଅନେକ ନିରୀହ ପିଲା ପ୍ରାଣ ହରାଉଛନ୍ତି। ଆକଳନ ଅନୁସାରେ ଭାରତରେ ଦୈନିକ ୩୧ ଜଣ ଶିଶୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏହା ସଡ଼କ ଦୁର୍ଘଟଣାଜନିତ ସମୁଦାୟ ମୃତ୍ୟୁ ସଂଖ୍ୟାର ପାଖାପାଖି ୮ ପ୍ରତିଶତ। ନିଜ ପିଲାଙ୍କ ନିରାପତ୍ତା ପ୍ରତି ଆମେ କେତେ ସଚେତନ ତାହା ଉପରେ ବିରାଟ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୧୯ରେ ସଡ଼କ ଦୁର୍ଘଟଣାରେ ୧୧,୧୬୮ ପିଲାଙ୍କ ଜୀବନ ଯାଇଛି। ପୂର୍ବ ବର୍ଷ ତୁଳନାରେ ଏହା ୧୧.୯୪ ପ୍ରତିଶତ ଅଧିକ। ସେହିଭଳି ୨୦୨୦ରେ ୧୪ ବର୍ଷରୁ କମ୍‌ ବୟସର ୨୭ଶହ ଏବଂ ୧୮ ବର୍ଷରୁ କମ୍‌ ବୟସର ୧୪ହଜାର ପିଲା ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ପିଲା ନିଜ ଗୁରୁଜନଙ୍କ ସହ ଦୁଇଚକିଆ ଯାନରେ ବସି ଯାତ୍ରା କରୁଥିଲେ। ଆମ ଦେଶରେ ପ୍ରତ୍ୟହ ବହୁ ସଂଖ୍ୟକ ପିଲା ନିଜ ଅଭିଭାବକଙ୍କ ସହ ଦୁଇଚକିଆ ଯାନରେ ଯାତ୍ରା କରୁଛନ୍ତି, କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ସେପରି କୌଣସି ବ୍ୟବସ୍ଥା ନାହିଁ। ତେଣୁ ଦୁର୍ଘଟଣା ଘଟିଲେ ପିଲାମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଅଧିକାଂଶ ଦୁର୍ଘଟଣା ଦ୍ରୁତଗତି ଏବଂ ଖାଲଖମା ରାସ୍ତା ଯୋଗୁ ଘଟୁଛି, କିନ୍ତୁ ଅନେକ ସମୟରେ ସେଫ୍ଟି ହର୍ନସ ବେଲ୍ଟ ବିନା ପଛରେ ବସିଥିବା ପିଲାଙ୍କ ସୁରକ୍ଷା ବିଷୟରେ ଚିନ୍ତା କରୁଥିବାରୁ ଚାଳକଙ୍କ ଏକାଗ୍ରତା ଭଙ୍ଗ ହୋଇଥାଏ। ଏହା ମଧ୍ୟ ଦୁର୍ଘଟଣାର ଅନ୍ୟତମ ପ୍ରମୁଖ କାରଣ।
ଏଭଳି ଦୁର୍ଘଟଣାକୁ ଟାଳିବା ପାଇଁ ୨୦୨୨ ଫେବୃୟାରୀ ୧୫ରେ ନୂତନ ଟ୍ରାଫିକ୍‌ ନିୟମ ଜାରି କରାଗଲା। ତଦନୁଯାୟୀ ୨୦୨୩ ଫେବୃୟାରୀ ୧୫ଠାରୁ ୯ ମାସରୁ ୪ବର୍ଷ ବୟସର ପିଲାଙ୍କ ପାଇଁ ସେଫ୍ଟି ହର୍ନସ ବେଲ୍ଟ (ସୁରକ୍ଷା ସୂଚକ ପଟି) ପିନ୍ଧିବା ଅନିବାର୍ଯ୍ୟ। ଏଥିପାଇଁ କେନ୍ଦ୍ର ସରକାର ମୋଟର ଯାନ ଅଧିନିୟମ ୧୯୮୮ (୧୯୮୮ଏ ୫୯) ଧାରା ୧୩୭, ଖଣ୍ଡ (ଏଏ)ର କ୍ଷମତାକୁ ପ୍ରୟୋଗ କରିବା ସହ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯କୁ ସଂଶୋଧନ କରି କେନ୍ଦ୍ରୀୟ ମୋଟର ଯାନ (ଦ୍ୱିତୀୟ ସଂଶୋଧନ) ନିୟମ- ୨୦୨୨ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଏଯାଏ ଠିକ୍‌ ଢଙ୍ଗରେ ଏହାର ଅନୁପାଳନ ହେଉନାହିଁ। କେବଳ ଛୋଟ ପିଲାଙ୍କ ପାଇଁ ସେଫ୍ଟି ହର୍ନସ ବେଲ୍ଟ ଏବଂ ହେଲ୍‌ମେଟ ପିନ୍ଧିବା ଅନିବାର୍ଯ୍ୟ ହୋଇନାହିଁ, ନିୟମ ଅନୁସାରେ କୌଣସି ପରିସ୍ଥିତିରେ ଜଣେ ଚାଳକ ଘଣ୍ଟା ପ୍ରତି ୪୦ କିଲୋମିଟରରୁ ଅଧିକ ବେଗରେ ଦୁଇଚକିଆ ଯାନ ଚଳାଇପାରିବେ ନାହିଁ। ନିୟମ ଅବମାନନାକାରୀଙ୍କ ପାଇଁ କଠୋର ଦଣ୍ଡ ଧାର୍ଯ୍ୟ ହୋଇଛି। କିନ୍ତୁ ଠିକ୍‌ ଯାଞ୍ଚ ବିନା ଏହାର ସଫଳତା ଆଶା କରାଯାଇ ନ ପାରେ।
ବାସ୍ତବରେ ପିଲାଙ୍କ ପାଇଁ ପ୍ରସ୍ତୁତ ସେଫ୍ଟି ହର୍ନସ ବେଲ୍ଟ ହେଉଛି ଏକ ନିୟନ୍ତ୍ରିତ ବେଲ୍ଟ, ଯାହାକୁ ଅଷ୍ଟ୍ରେଲିଆ, ଫ୍ରାନ୍ସ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ଜାପାନ ସମେତ ଦୁନିଆର ପ୍ରାୟ ୫୬ଟି ଦେଶର ପିଲା ବହୁ ପୂର୍ବରୁ ବ୍ୟବହାର କରିଆସୁଛନ୍ତି। କାଗଜ କଲମରେ ଆଇନ ତିଆରି ହୋଇଥିଲେ ମଧ୍ୟ ଭାରତରେ ଏ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଏଭଳି ସେଫ୍ଟି ହର୍ନ ବେଲ୍ଟ କିମ୍ବା ହେଲ୍‌ମେଟ ବାଧ୍ୟତାମୂଳକ ହୋଇନାହିଁ। ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ୯ ମାସରୁ ୪ବର୍ଷ ବୟସର ପିଲାଙ୍କ ପାଇଁ ସରକାର ୨୦୨୩ ଫେବୃୟାରୀ ୧୫ରୁ ସେଫ୍ଟି ହର୍ନସ ବେଲ୍ଟ ସହ ହେଲ୍‌ମେଟ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି। ନିୟମର ଉଲ୍ଲଂଘନ ପାଇଁ ପ୍ରଥମ ଥର ୧ହଜାର ଟଙ୍କା ଜରିମାନା ସହ ତିନିମାସ ପାଇଁ ଚାଳକଙ୍କ ଲାଇସେନ୍ସ ନିଲମ୍ବିତ କରାଯିବ। ଏଯାଏ କିନ୍ତୁ ଏହା ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ ହୋଇନି।
ପ୍ରଶ୍ନ ହେଉଛି, ଏହି ସେଫ୍ଟି ହର୍ନସ ବେଲ୍ଟ କ’ଣ?
ଏବଂ ଏହା କିପରି ଛୋଟପିଲାଙ୍କୁ ସୁରକ୍ଷା ଦେବ? ସେଫ୍ଟି ହର୍ନସ ବେଲ୍ଟ ହେଉଛି ଦୁଇଚକିଆ ଯାନରେ ଯାତ୍ରା କରୁଥିବାବେଳେ ପିଲାମାନେ ପିନ୍ଧୁଥିବା ଏକ ନିୟନ୍ତ୍ରିତ ବେଲ୍ଟ। ଯଦିଓ ଏହି ବେଲ୍ଟଟିକୁ ପିଲାଟି ପିନ୍ଧି ଥାଏ, କିନ୍ତୁ ଏହାର ଏକ ଅଂଶ ଦୁଇଚକିଆ ଯାନର ଚାଳକଙ୍କ ସହିତ ସଂଲଗ୍ନ ହୋଇଥାଏ। ଏହି ବେଲ୍ଟକୁ ପିଲାଟି ସ୍କୁଲ ବେଲ୍ଟ ପରି ପିନ୍ଧିଥାଏ, ଯାହାର ଏକ ଅଂଶ ଦୁଇଚକିଆ ଯାନର ଚାଳକଙ୍କ ଅଣ୍ଟା କିମ୍ବା ପେଟ ସହ ନ ଖସିବା ଭଳି ବନ୍ଧା ଯାଇଥାଏ (ଲକ କରାଯାଇଥାଏ)। ଦୁଇଚକିଆ ଯାନର ଚାଳକଙ୍କ ସହିତ ପିଲାଟିକୁ ଏହା ଦୃଢ଼ ଭାବରେ ଧରି ରଖେ। ଯେଉଁଥିପାଇଁ ପିଲାଟି ଅସୁରକ୍ଷିତ ରହେ ନାହିଁ। ଭାରସାମ୍ୟ ହରାଇବା ସତ୍ତ୍ୱେ ପିଲାଟି ଗାଡିରୁ ଖସି ପଡିବାର ଭୟ ନ ଥାଏ।
ତଥ୍ୟ କହୁଛି ସେଫ୍ଟି ହର୍ନସ ବେଲ୍ଟ ବାନ୍ଧୁ ନ ଥିବା କାରଣରୁ ୪ପ୍ରତିଶତ ପିଲା ଗାଡିରୁ ଖସି ତଳେ ପଡନ୍ତି ଏବଂ ଅଧିକାଂଶ ସମୟରେ ସେମାନେ ଦୁର୍ଘଟଣାର ଶିକାର ହୁଅନ୍ତି। ଭାରତୀୟ ମାନକ ବ୍ୟୁରୋ ଅଧିନିୟମ ୨୦୧୬ରେ ଏଭଳି ବେଲ୍ଟ ତିଆରି ପାଇଁ ମାନଦଣ୍ଡ ପ୍ରସ୍ତୁତ ହୋଇଥିଲା। ତଦନୁସାରେ ଏହା ନାଇଲନ, ନରମ ଫୋମ ଭଳି ବହୁମୁଖୀ ପଦାର୍ଥରେ ତିଆରି ହେବା ଉଚିତ। ଏହି ବେଲ୍ଟ ୩୦ କିଲୋଗ୍ରାମ ପର୍ଯ୍ୟନ୍ତ ଭାର ଉଠାଇବାର କ୍ଷମତା ରଖେ। ପିଲାଙ୍କ ପାଇଁ ବ୍ୟବହୃତ ହେଉଥିବା ହେଲ୍‌ମେଟଟି ଆଇଏସ୍‌ଆଇ ଚିହ୍ନ ଯୁକ୍ତ ହେବା ଆବଶ୍ୟକ। ସେଫ୍ଟି ହର୍ନ ବେଲ୍ଟ ଏବଂ ହେଲ୍‌ମେଟ ପିନ୍ଧାଇବା ସହ ଦୁଇଚକିଆ ଯାନର ଗତିକୁ ସୀମିତ ରଖିବା ଦ୍ୱାରା ଗାଡିରେ ବସିଥିବା ପିଲାଟି ଅନେକାଂଶରେ ସୁରକ୍ଷିତ ହୋଇଯାଏ। ଏହି ନିୟମକୁ କଡାକଡି ଲାଗୁ କଲେ ପିଲାଙ୍କ ଜୀବନ ସୁରକ୍ଷିତ ରହିବ।
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri