Categories: ଫୁରସତ

ଦୁଇଟି ଚେହେରା ଥିବା ବ୍ୟକ୍ତି

ଦୁନିଆରେ ଏମିତି ଅନେକ ମଣିଷ ଅଛନ୍ତି, ଯାହାଙ୍କ ଅସ୍ତିତ୍ୱ ବେଶ୍‌ ରହସ୍ୟମୟ ହୋଇଥାଏ। ଆଉ ସେହି ରହସ୍ୟକୁ ଭେଦ କରିବା କାହାପକ୍ଷେ ସମ୍ଭପର ହୋଇ ନ ଥାଏ। ଊନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ସେହିଭଳି ଜଣେ ମଣିଷ ଥିଲେ। ଦାବି କରାଯାଉଥିଲା କି ତାଙ୍କର ଦୁଇଟି ଚେହେରା ଥିଲା। ଗୋଟିଏ ସାମ୍‌ନା ଭାଗରେ ଓ ଅନ୍ୟଟି ପଛପଟେ। ପୃଥିବୀର ସେ ଥିଲେ ଏକମାତ୍ର ଦୁଇ ଚେହେରା ବ୍ୟକ୍ତି। ତାଙ୍କ ନାମ ଥିଲା ଏଡଓ୍ବର୍ଡ ମୋରଡ୍ରାକ୍‌। କୁହାଯାଏ ପଛଭାଗର ଚେହେରା ସବୁବେଳେ ସକ୍ରିୟ ରହୁ ନ ଥିଲା। ହେଲେ ଶୋଇବା ସମୟରେ ସେହି ଚେହେରା ସକ୍ରିୟ ହୋଇଯାଉଥିଲା। ଆଉ ରାତିସାରା ଫୁସ୍‌ ଫୁସ୍‌ ହେଉଥିଲା। ୧୯୮୫ରେ ବୋଷ୍ଟନ୍‌ ପୋଷ୍ଟରେ ଏଡଓ୍ବର୍ଡଙ୍କ ସମ୍ପର୍କରେ ଲେଖା ପ୍ରକାଶ ପାଇଥିଲା। ସେଥିରେ ଲେଖାଥିଲା ଯେ, ଏଡଓ୍ବର୍ଡ ତାଙ୍କ ଦ୍ୱିତୀୟ ଚେହେରା ଯୋଗୁ ଅନେକ ସମସ୍ୟା ଭୋଗୁଥିଲେ। ରାତି ରାତି ଶୋଇପାରୁ ନ ଥିଲେ। ସେ ଡାକ୍ତରଙ୍କ ପାଖକୁ ଯାଇ ସେହି ଚେହେରାକୁ ବାହାର କରିଦେବାକୁ ଅନୁରୋଧ କରିଥିଲେ। ହେଲେ ସେ ସମୟରେ ଚିକିତ୍ସା ବିଜ୍ଞାନ ଏତେ ବିକଶିତ ହୋଇ ନ ଥିଲା। ତେଣୁ ସେମାନେ ମନା କରିଦେଇଥିଲେ। ଦ୍ୱିତୀୟ ଚେହେରାଟି ଭଲ ଭାବେ କଥା କହିପାରୁ ନ ଥିଲେ ହେଁ ହସି ପାରୁଥିଲା, କାନ୍ଦି ପାରୁଥିଲା, ଫୁସ୍‌ ଫୁସ୍‌ ହେବା ସହ ଅଜବ ଶବ୍ଦ ବାହାର କରିପାରୁଥିଲା। ନର୍କ ବିଷୟରେ ଫୁସ୍‌ ଫୁସ୍‌ ହୋଇ କହୁଥିଲା। ଏମିତି ବି କୁହାଯାଏ ଏଡଓ୍ବର୍ଡ ଯେବେ ହସୁଥିଲେ ଦ୍ୱିତୀୟ ଚେହେରା କାନ୍ଦୁଥିଲା ଓ ସେ କାନ୍ଦିଲେ ଦ୍ୱିତୀୟ ଚେହେରା ହସୁଥିଲା। ଫଳରେ ସେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ଶେଷରେ ତାଙ୍କୁ ଯେବେ ୩୭ ବର୍ଷ ବୟସ ସେ ଆତ୍ମହତ୍ୟା କଲେ। ୧୮୯୬ର ମେଡିକାଲ ଏନ୍‌ସାଇକ୍ଲୋପିଡିଆରେ ଏଡଓ୍ବର୍ଡଙ୍କ ମେଡିକାଲ କଣ୍ଡିଶନ୍‌ ସମ୍ପର୍କରେ କୁହାଯାଇଛି। ତଥାପି ଅନେକେ ଏହାକୁ ଏକ କାହାଣୀ ବୋଲି ଭାବନ୍ତି।

Share