ଦୁଇଟି ସ୍ଥାନରେ ହାଟ ଚାଲିବା ନେଇ ରାସ୍ତା ଅବରୋଧ

ରାଇକିଆ,୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକୀ ହାଟକୁ ଆସୁଥିବା ବ୍ୟବସାୟୀମାନେ ସୋମବାର ଦୁଇଟି ସ୍ଥାନରେ ଏକାଥରେ ହାଟ ଚାଲିବାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି। ଏପରିକି ରାସ୍ତା ଉପରେ ଦୋକାନ ଖୋଲି ପ୍ରତିବାଦ ମଧ୍ୟ କରିଛନ୍ତି। ଗତ ନଭେମ୍ବର ୧୮ ତାରିଖରେ ଆର୍‌ଏମ୍‌ସି ପରିସରରେ ଚାଲୁଥିବା ହାଟକୁ ଚୂନପଲ୍ଲୀ ନିକଟ ଅଏଲ ମିଲ୍‌ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ବ୍ୟବସାୟୀମାନେ ନୂତନ ସ୍ଥାନରେ ଦୋକାନ ଖୋଲିଥିଲେ। କିନ୍ତୁ ଅନୂରପ ଭାବେ ଆର୍‌ଏମ୍‌ସି ଭିତରେ ପୂର୍ବରୁ ଚାଲୁଥିବା ହାଟ ସ୍ଥାନରେ ମଧ୍ୟ କିଛି ବ୍ୟବସାୟୀ ଦୋକାନ ଖୋଲିଥିଲେ। ଫଳରେ ଦୁଇଟି ସ୍ଥାନରେ ହାଟ ଚାଲିବା ଯୋଗୁ ଗ୍ରାହକଙ୍କ ସମେତ ବ୍ୟବସାୟୀମାନେ ମଧ୍ୟ ହଇରାଣ ହୋଇଥିଲେ। ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ଏନେଇ ପ୍ରଶାସନ ପକ୍ଷରୁ କାୈଣସି ପଦକ୍ଷେପ ନିଆ ଗଲାନାହିଁ। ଏପରିକି ନୂତନ ସ୍ଥାନରେ ବ୍ୟବସାୟ ହେଉ ନ ଥିବା କିଛି ବ୍ୟବସାୟୀ ଅଭିଯୋଗ କରିଥିଲେ। ହାଟକୁ ପରିବା ବିକ୍ରି କରିବାକୁ ଆସୁଥିବା ଚାଷୀମାନେ ବିଶେଷ କରି କ୍ଷତି ସହିଥିଲେ। ଏହାର ପ୍ରତିବାଦ ସ୍ବରୂପ ବ୍ୟବସାୟୀମାନେ ସୋମବାର ନୂତନ ହାଟ ସମ୍ମୁଖରେ ରାଇକିଆ- ଜି.ଉଦୟଗିରି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।