ଦୁଇଥର ନିର୍ବନ୍ଧ ଭାଙ୍ଗିବା ପରେ ପୁଣି ପ୍ରେମରେ ପିସିଙ୍କ ଭାଇ ସିଦ୍ଧାର୍ଥ, ଇଶାଙ୍କ ହୋଲି ପାର୍ଟିରେ ପ୍ରେମିକାଙ୍କ ସହ ପହଞ୍ଚିଲେ

ବମ୍ବେ: ଅଭିନୟ ନ ହେଲେ ବି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଦୁଇ ଦୁଇ ଥର ନିର୍ବନ୍ଧ ଭାଙ୍ଗିବା ପରେ ଏବେ ପୁଣି ସେ ପ୍ରେମରେ ପଡ଼ିଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଲମ ଉପାଧ୍ୟାୟଙ୍କୁ ସେ କରୁଛନ୍ତି ଡେଟ୍‌ ।

ଶନିବାର ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ଘରେ ହୋଲିର ପାର୍ଟି ରଖାଯାଇଥିଲା। ବଲିଉଡ୍‌ର ପ୍ରାୟ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ଏଥିରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ସିଦ୍ଧାର୍ଥ। ସେ ତଥାକଥିତ ପ୍ରେମିକା ନିଲମ୍‌ଙ୍କ ସହ ପାର୍ଟିରେ ପହଞ୍ଚିଥିଲେ। କ୍ୟାମେରା ସମ୍ମୁଖରେ ଉଭୟ ପୋଜ୍‌ ମଧ୍ୟ ଦେଇଥିଲେ।

ପାର୍ଟିରେ ପ୍ରିୟଙ୍କା ସ୍ବାମୀ ନିକ୍‌ ଓ ମା’ ମଧୁ ଚୋପ୍ରାଙ୍କ ସହ ମଧ୍ୟ ପହଞ୍ଚିଥିଲେ। ଏହାର କିଛି ଫଟୋ ଉଭୟ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରିୟଙ୍କାଙ୍କ ସହ ପ୍ରଥମ ହୋଲି ଖେଳି ବେଶ୍‌ ଉତ୍ସାହିତ ଥିବା କହିଛନ୍ତି ନିକ୍‌।
ନିକଟରେ ସିଦ୍ଧାର୍ଥ-ନିଲମ୍‌ଙ୍କ ନିର୍ବନ୍ଧ ସରିଥିବା ନେଇ କୁହାଯାଉଥିଲା। କାରଣ ଥିଲା ନିଲମ ପିନ୍ଧିଥିବା ମୁଦି। ହେଲେ ସେ ଏହାକୁ ଡାହାଣ ହାତରେ ପିନ୍ଧିଥିବା ଦର୍ଶାଇ କଥାକୁ ଏଡ଼ାଇ ଯାଇଥିଲେ।

Share