ଦୁଇଦିନରେ ଅଣ୍ଡା ଦେଲେ ୧୧୦ ଅଲିଭ୍‌ରିଡ୍‌ଲେ

ଗଞ୍ଜାମ,୧୯ା୩(ଡି.ଏନ.ଏ.) ପୁରୁଣାବନ୍ଧ ନିକଟସ୍ଥ ଋଷିକୁଲ୍ୟା ମୁହାଣରେ ଗତ ଫେବୃୟାରୀ ପ୍ରଥମ ସପ୍ତାହରୁ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୪୫ କଇଁଛ ଅଣ୍ଡାଦାନ କରିଥିଲେ। ଗଣ ଅଣ୍ଡାଦାନ ଆରମ୍ଭ ହୋଇ ନ ଥିବାରୁ ପ୍ରୟାଗୀସ୍ଥିତ ହାଚେରୀରେ ଅଣ୍ଡାଗୁଡିକ ସଂଗ୍ରହ କରି ରଖାଯାଇଛି। ସେବେଠାରୁ ପ୍ରତିଦିନ କଁା ଭଁା ୩ କିମ୍ବା ୪ କଇଁଛ ଅଣ୍ଡାଦାନ କରୁଥିଲେ। ମଙ୍ଗଳବାର ୫୪ ଓ ବୁଧବାର ୫୬ କଇଁଛ ଅଣ୍ଡାଦାନ କରିଥିବା ରମ୍ଭା ବନଖଣ୍ଡ ଅଧିକାରୀ ସୋମନାଥ ମଲିକ କହିଛନ୍ତି। ଦୁଇଦିନରେ ମୋଟ ୧୧୦ କଇଁଛ ଅଣ୍ଡାଦାନ କରିଛନ୍ତି। ବୁଧବାର କଇଁଛଙ୍କ ଗତିବିଧି ଲକ୍ଷ୍ୟ କରିବା ପାଇଁ ଜିଲା ବନଖଣ୍ଡ ଅଧିକାରୀ, ରମ୍ଭା ବନାଞ୍ଚଳ ଅଧିକାରୀ ମଲିକ ଓ ଅନ୍ୟାନ୍ୟ କର୍ମଚାରୀ ସମୁଦ୍ର ମଧ୍ୟକୁ ସ୍ପିଡ ବୋଟରେ ଯାଇ ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ଋଷିକୁଲ୍ୟା ମୁହାଣରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି। ଅଣ୍ଡାଦାନ ସମୟରେ ସମ୍ପୃକ୍ତ ଅଞ୍ଚଳରେ ମାଛଧରା ବାରଣ କରାଯାଇଛି। ପାଗ ଅନୁକୂଳ ନଥିବା ଏବଂ ବେଳାଭୂମି ଅବକ୍ଷୟ ଯୋଗୁ ଗଣ ଅଣ୍ଡାଦାନ ହେଉ ନ ଥିବା ପରିବେଶବିତ୍‌ମାନେ କହିଛନ୍ତି।
ଏ ସମ୍ପର୍କରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଅମ୍ଳାନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଗଣ ଅଣ୍ଡାଦାନ ପ୍ରକ୍ରିୟା ଆଶା ଦୃଢୀଭୂତ ହୋଇଛି। ଗୋଟିଏ କଇଁଛ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଅଣ୍ଡା ଦେଉଛନ୍ତି। ଦକ୍ଷିଣା ପବନ ବହିବା ଧୀରେଧୀରେ ଆରମ୍ଭ ହେଲାଣି। ତେଣୁ ଖୁବ୍‌ଶୀଘ୍ର ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଥିବା ସେ କହିଥିଲେ।

Share