ଦୁଇଦିନ ବର୍ଷା, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ: ବଜ୍ରପାତ ନେଇ ଆଜି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ରାଜସ୍ବ ବିଭାଗ ସବୁ ଜିଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଅମଳ ଧାନକୁ ଘରକୁ ନେଇ ଆସିବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ଗୃହହୀନଙ୍କୁ ଆଶ୍ରୟ ଦେବାକୁ ସ୍କୁଲ କୋଠା ରାତିରେ ଖୋଲିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାକୁ ଥିବାବେଳେ ବଜ୍ରପାତ ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୯ ଜିଲାରେ କୋହଲା ପାଗ ସହ ବଜ୍ରପାତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବଜ୍ରପାତ ସମୟରେ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଶୁକ୍ରବାର ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୬ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୧୦ରୁ ୧୨ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୦ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ବଲାଙ୍ଗୀର ଓ ସୁବର୍ଣ୍ଣପୁର, ୧୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏବଂ ୧୨ ତାରିଖରେ ଅନୁଗୋଳ, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ପୁରୀ, ଗଞ୍ଜାମ ଓ କୋରାପୁଟ ଆଦି ଜିଲାରେ ବଜ୍ରପାତ ହେବ ବୋଲି ସତର୍କ ସୂଚନା ମଳିଛିି। ଆସନ୍ତା ଦୁଇଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏହାପରେ ଧୀରେ ଧୀରେ ୩ରୁ ୫ ଡିଗ୍ରୀ ତାପମାତ୍ରା ଖସିବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ଅନ୍ୟପଟେ ବୁଧବାର ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇଥିବାରୁ ଶୀତ କମ୍‌ ରହିଥିଲା। ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ଥିବାବେଳେ ଟିଟଲାଗଡ଼ରେ ୯.୬, ସୋନପୁରରେ ୯.୮ଡିଗ୍ରୀ ତାପମାତ୍ରା ରେକେର୍ଡ କରାଯାଇଛି।

Share