ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୨(ବ୍ୟୁରୋ): ଝାଡଖଣ୍ଡ ଏବଂ ଓଡିଶା ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳବର୍ତ୍ତୀ ଜିଲା, କଳାହାଣ୍ଡି, ଗଜପତି, ରାୟଗଡା, କୋରାପୁଟ, ବଲାଙ୍ଗୀର, ନୟାଗଡ, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ ଜିଲାର ଅଳ୍ପ କେତେକ ସ୍ଥାନରେ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସୋମବାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଆଦି ଜିଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଆଦି ଜିଲାର କେତେକ ସ୍ଥାନରେ ଘନ କୁହୁଡି ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆକାଶ ମେଘୁଆ ରହିଥିବାରୁ ସର୍ବନିମ୍ନ ତାପମାତ୍ରା ୧୦ରୁ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଛି। ସର୍ବୋଚ୍ଚ ତାପମାତ୍ରା ବଢୁ ନ ଥିଲେ ମଧ୍ୟ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟୁଛି।

Share