Categories: ଖେଳ

ଦୁଇବର୍ଷ ପରେ ସାନିଆଙ୍କ ବିଜୟ ପ୍ରତ୍ୟାବର୍ତ୍ତନ

ହୋବାର୍ଟ, ୧୪।୧ (ପି.ଟି.)- ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ଦମ୍‌ଦାର ବିଜୟ ସହ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଅନୁଷ୍ଠିତ ହୋବାର୍ଟ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାର ମହିଳା ଡବଲ୍ସରେ ସାନିଆ ଓ ତାଙ୍କ ୟୁକ୍ରେନ ସାଥୀ ନାଡିଆ କିଚେନୋକ ବିଜୟ ହାସଲ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସାନିଆ-ନାଡିଆ ଯୋଡ଼ି ୨-୬, ୭-୬ (୩), ୧୦-୩ ସେଟ୍‌ରେ ଜର୍ଜିଆର ଓକସାନା କାଲଶନିକୋଭା ଓ ଜାପାନର ମିୟୁ କାଟୋ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ସାନିଆ ଓ ନାଡିଆଙ୍କୁ ଏକ ଘଣ୍ଟା ୪୧ ମିନିଟ୍‌ ସମୟ ଲାଗିଥିଲା। କ୍ୱାର୍ଟରଫାଇନାଲ ମ୍ୟାଚ୍‌ରେ ଏହି ଯୋଡ଼ି ଆମେରିକାର ଭାନିଆ କିଙ୍ଗ୍‌ ଓ କ୍ରିଷ୍ଟିନା ମ୍ୟାକ୍‌ହେଲ୍‌ଙ୍କୁ ଭେଟିବେ। ଏଠାରେ ଉଲ୍ଲେଖଯୋଗ୍ୟ, ୨ ବର୍ଷର ବ୍ୟବଧାନ ପରେ ଡବ୍ଲ୍ୟୁଟିଏ ସର୍କିଟ୍‌କୁ ୩୩ ବର୍ଷୀୟା ସାନିଆ ପ୍ରତ୍ୟାବର୍ତ୍ତନ କରିଛନ୍ତିି। ୨୦୧୮ ଏପ୍ରିଲରେ ସାନିଆ ଓ ତାଙ୍କ ପାକିସ୍ତାନ କ୍ରିକେଟର୍‌ ସ୍ବାମୀ ସୋଏବ ମଲିକଙ୍କ ଔରସରୁ ପୁତ୍ର ସନ୍ତାନ ଇଜହାନ ଜନ୍ମ ହୋଇଥିଲେ। ଏହାପରେ ସେ ଟେନିସରୁ ସାମୟିକ ବିରତି ନେଇଥିଲେ। ‘ଆଜି ମୋ ପାଇଁ ଏକ ସ୍ମରଣୀୟ ଦିନ। ଦୀର୍ଘ ଦିନ ପରେ ମୋର ପ୍ରଥମ ମ୍ୟାଚ୍‌ ଖେଳିଲି ଏବଂ ବିଜୟ ଲାଭ କରିଛି। ମୋ ପରିବାର, ପୁଅ ସମସ୍ତେ ଏହି ଅବସରରେ ରହିଛନ୍ତି’ ବୋଲି ସାନିଆ ବିଜୟ ପରେ କହିଛନ୍ତି। ବିଜୟ ହାସଲ ପରେ ସାନିଆ ପୁଅ ସହ ଖୁସି ମନାଉଥିବା ଦେଖିବାକୁ ମିଳିଥିଲା।

Share