Categories: ଖେଳ

ଦୁଇବର୍ଷ ବାସନ୍ଦ ହେଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ରିକେଟର

ମୁମ୍ବାଇ,୨୦।୬- ମୁମ୍ବାଇ ଇଣ୍ଡିଆନ୍ସ ଓ ଜମ୍ମୁ-କଶ୍ମୀର ପେସର ରାସିଖ ସଲାମଙ୍କୁ ବିସିସିଆଇ ଦୁଇବର୍ଷ ଲାଗି ବାସନ୍ଦ କରିଛି। ସେ ତ୍ରୁଟିପୂର୍ଣ୍ଣ ଜନ୍ମ ପ୍ରମାଣପତ୍ର ବୋର୍ଡରେ ଦାଖଲ କରିଥିବା ଜଣାପଡ଼ିବା ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କଡ଼ା କାର୍ଯ୍ୟାନୁଷ୍ଠାନ କରିଛି। ଇଂଲଣ୍ଡ ଗସ୍ତ କରିବାକୁ ଥିବା ୧୯ ବର୍ଷରୁ କମ୍‌ ଭାରତୀୟ ଦଳରୁ ସଲାମ ମଧ୍ୟ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପ୍ରଭାତ ମୌର୍ଯ୍ୟାଙ୍କୁ ଦଳରେ ସାମିଲ କରାଯାଇଛି। ଜମ୍ମୁ-କଶ୍ମୀର ପେସର ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପଦାର୍ପଣ କରିଥିଲେ। ପରଭେଜ ରସୁଲ ଓ ମନ୍‌ଜୁର ଦରଙ୍କ ପରେ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲ ଚୁକ୍ତି ପାଇଥିଲେ। କଶ୍ମୀରର ଉତ୍ତରାଞ୍ଚଳର ଅଶମୁଜି ଗ୍ରାମରେ ତାଙ୍କ ଘର। ସେଠାରେ ପ୍ରାୟତଃ କର୍ଫ୍ୟୁ ଲାଗି ରହେ। ମୁମ୍ବାଇ ଇଣ୍ଡିଆନ୍ସ ଦଳ ତାଙ୍କୁ ମୂଳ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ଚଳିତ ସପ୍ତାହରେ ଏକ ରିପୋର୍ଟରେ ସଲାମ ବୟସ ଜାଲିଆତି କରିଥିବା ପ୍ରକାଶ ପାଇଥିଲା। ଜମ୍ମୁ-କଶ୍ମୀର ରାଜ୍ୟ ବୋର୍ଡ ଅଫ୍‌ ସ୍କୁଲ ଏଜୁକେଶନ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ବୋର୍ଡ ଓ ବିସିସିଆଇକୁ ଦିଆଯାଇଥିବା ଜନ୍ମ ପ୍ରମାଣପତ୍ରରେ ସାମଞ୍ଜସ୍ୟ ନାହିଁ। ଏଣୁ ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି।

Share