Categories: ମେଟ୍ରୋ

ଦୁଇମାସ ବିତିଲା, ସରିଲାନି ଡ୍ରେନ୍‌ କାମ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଡ୍ରେନେଜ୍‌ ବିଭାଗର ଅଧିକାରୀମାନେ ସକ୍ରିୟ ହୋଇପଡ଼ନ୍ତି। ଡ୍ରେନ ପୁନରୁଦ୍ଧାର, ନୂଆ ଡ୍ରେନ ନିର୍ମାଣ ନେଇ ଟେଣ୍ଡର ଆଦି କଥା ସେମାନଙ୍କର ମନେପଡ଼େ। କାମ ଆରମ୍ଭ ହେଲେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ସରେନାହିଁ। ଫଳରେ ରାଜଧାନୀରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହ ଲୋକଙ୍କୁ ନାନା ପ୍ରକାର ହଇରାଣ ହେବାକୁ ପଡ଼େ। ଏଥର ବି ସେହି ସମାନ ଅବସ୍ଥା ଦେଖିବାକୁ ମିଳିଛି। ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ଲାଗି ଗତ ଦୁଇମାସ ହେଲା କାମ ଚାଲିଛି। ମାତ୍ର ବର୍ତ୍ତମାନ ସୁଦ୍ଧା କାମ ଶେଷ ହେବା ତ ଦୂରର କଥା, ଅଧା ବି ହୋଇପାରିନାହିଁ। ଏଥିରୁ ବିଏମ୍‌ସିର ପାରିବା ପଣିଆ ସହଜେ ଅନୁମେୟ।
ମାଷ୍ଟରକ୍ୟାଣ୍ଟିନଠାରୁ ୪୦୦ ମିଟର ଦୂରରେ ଡ୍ରେନ ଚ୍ୟାନେଲ ନିର୍ମାଣ ବ୍ୟତୀତ ଅନ୍ୟ କିଛି କାମ ଆଗେଇନାହିଁ। ଡ୍ରେନ ନିର୍ମାଣ ଲାଗି ସମ୍ପୃକ୍ତ ଠିକାସଂସ୍ଥା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଖୋଳି ଦେଇଥିବାରୁ ବର୍ଷା ହେଲେ ସେଠାରେ ପାଣି ଜମୁଛି। ଫଳରେ କାମ କରିହେଉନାହିଁ। ଜନପଥ କରିବା ଆଶାରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି। ହେଲେ ଏହି କାର୍ଯ୍ୟରେ ବହୁ ଅବହେଳା ଦେଖିବାକୁ ମିଳୁଛି। କାର୍ଯ୍ୟରତ ଠିକା ସଂସ୍ଥା କିଛି ଚିନ୍ତା ନ କରି ରାସ୍ତାକୁ ଖୋଳିଦେବା ସମ୍ପୂର୍ଣ୍ଣ ଭୁଲ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁ ଉକ୍ତ ରାସ୍ତାରେ ପାଣି ଜମିବା ସହିତ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା। ନିକଟସ୍ଥ ଶ୍ରେୟା ଛକରେ ଥିବା ଫଳଦୋକାନଗୁଡିକରେ ପାଣି ପଶିଯାଇଥିଲା। ବର୍ଷାଋତୁ ଆସୁଥିବା ଜାଣି ମଧ୍ୟ କାହିଁକି ଡ୍ରେନ କାମ ଆରମ୍ଭ କରାଗଲା ତାହା ବୁଝାପଡ଼ୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

Share