ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ। ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ଉଭୟଙ୍କୁ ଶୁକ୍ରବାର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିବା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଶୁଭେଚ୍ଛା। ଉଭୟ ପ୍ରତ୍ୟେକ ଭାରତୀୟଙ୍କ ଆଶା ପୂରଣ କରିବା ସହ ଓଡ଼ିଶାର ସ୍ବରକୁ କେନ୍ଦ୍ର ସରକାରଙ୍କ ନିକଟରେ ସଫଳତାର ସହ ପହଞ୍ଚାଇବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ ଯୋଗେ କହିଛନ୍ତି।
ଧର୍ମେନ୍ଦ୍ର ଓ ପ୍ରତାପଙ୍କୁ ଶୁକ୍ରବାର ନୂଆ ଦାୟିତ୍ୱ ଦିଆଯାଇଛି। ଧର୍ମେନ୍ଦ୍ର ନିଜ ସ୍ଥାନ ବଜାୟ ରଖି ପୁନର୍ବାର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ବିଭାଗ ମନ୍ତ୍ରୀ ହୋଇଥିବା ବେଳେ ପ୍ରତାପ ଏମ୍‌ଏସ୍‌ଏମ୍‌ଇ, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଦୁଗ୍ଧ ବିଭାଗ ମନ୍ତ୍ରୀ ହୋଇଛନ୍ତି।

ପ୍ରକାଶଯୋଗ୍ୟ,ରାଷ୍ଟ୍ରପତି ଭବନ ପରିସରରେ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପାରି ନ ଥିଲେ। ତେବେ ସେ ମୋଦିଙ୍କୁ ଟୁଇଟ୍‌ ଯୋଗେ ଶୁଭେଚ୍ଛା ଜଣାଇଥିଲେ।

Share