Categories: ଖେଳ

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.) ଦୌଡ଼ିଛନ୍ତି। ବୃହତ୍‌ ଭିଏନା ପାର୍କରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା କୋର୍ସରେ ୩୪ ବର୍ଷୀୟ କିପଚୋଗେ ଏକ ଘଣ୍ଟା ୫୯ ମିନିଟ ଓ ୪୦ ସେକେଣ୍ଡ ସମୟ ନେଇ ମାରାଥନ ଦୌଡ଼ ପୂରା କରିଛନ୍ତି। ଏହା ଓପନ୍‌ କମ୍ପିଟିଶନ ନ ଥିଲା। ତେଣୁ ଏହା ଆନୁଷ୍ଠାନିକ ରେକର୍ଡ ଭାବେ ଗଣାହେବନାହିଁ। ପୁଣି ସେ ରୋଟେଟିଂ ପେସମେକର୍ସର ସାହାଯ୍ୟ ନେଇଥିଲେ। ଦୌଡ଼ ଅବସରରେ ତାଙ୍କୁ ୪୨ ପେସମେକର୍ସ ସହାୟତା ପ୍ରଦାନ କରିଥିଲେ। ଧଳା ଜର୍ସି ପିନ୍ଧି ଏହି ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନ ଐତିହାସିକ ପ୍ରଦର୍ଶନ କରିଥିଲେ। ପୂରା ଦୌଡ଼ ଅବସରରେ କିପଚୋଗେଙ୍କ କୋଚ୍‌ ତାଙ୍କୁ ଜେଲ୍‌ ଓ ପାଣି ଦେଇଥିଲେ। ତାଙ୍କୁ ସହାୟତା କରିଥିବା ୪୨ଜଣ ପେସମେକର୍ସଙ୍କ ମଧ୍ୟରେ ୧୫୦୦ ମି. ଅଲିମ୍ପିକ ଚାମ୍ପିୟନ ମାଥ୍ୟୁ ସେଣ୍ଟ୍ରୋବିଜ୍‌, ଅଲିମ୍ପିକ ୫୦୦୦ମି. ରୌପ୍ୟ ପଦକ ବିଜେତା ପାଲ ଚିଲମୋ ଓ ଅନ୍ୟ ଅଭିଜ୍ଞ ଧାବକ ସାମିଲ ରହିଥିଲେ। ପୂର୍ବରୁ ୨ ଘଣ୍ଟା ୧ ମିନିଟ ୩୯ ସେକେଣ୍ଡ ସମୟ ନେଇ ପୁରୁଷ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ଏହା ସେ ୨୦୧୮ ସେପ୍ଟେମ୍ବର ୧୬ ବର୍ଲିନ ମାରାଥାନରେ ହାସଲ କରିଥିଲେ। ୨୦୧୭ ମେ’ରେ ସେ ଇଟାଲୀର ମୋଞ୍ଜା ନ୍ୟାଶନାଲ ଅଟୋଡ୍ରମ ରେସିଂ ସର୍କିଟ୍‌ରେ ଦୁଇ ଘଣ୍ଟ ବ୍ୟାରିୟର ବା ସୀମାକୁ ଭଙ୍ଗ କରିବାକୁ ପ୍ରୟାସ କରିଥିଲେ। ତେବେ ସେ ଏଥିରେ ୨ ଘଣ୍ଟା ୨୫ ସେକେଣ୍ଡ ସମୟ ନେଇ ଅଳ୍ପକେ ରେକର୍ଡ ହାସଲରୁ ବଞ୍ଚିତ ହୋଇଥିଲେ।

Share