ଦୁଇ ଚଳଚ୍ଚିତ୍ର ପାଇଁ ବିଜୟଙ୍କ ପାରିଶ୍ରମିକ ୧୩୦ କୋଟି

ବମ୍ବେ: ଦୁଇଟି ଫିଲ୍ମ ପାଇଁ ଅଭିନେତାଙ୍କ ପାରିଶ୍ରମିକ ୧୩୦ କୋଟି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଦକ୍ଷିଣ ଭାରତୀୟ ଅଭିନେତା ଥାଲାପତି ବିଜୟଙ୍କୁ ଫିଲ୍ମ ‘ବିଗିଲ୍‌’ ଏବଂ ‘ମାଷ୍ଟର୍‌’ ପାଇଁ ଏତିକି ପାରିଶ୍ରମିକ ମିଳିଛି। ବିଜୟଙ୍କ ଘରେ ଆଇଟି ରେଡ୍‌ ହେବା ପରେ ଏଭଳି କିଛି ସାମ୍ନାକୁ ଆସିଛି। ହେଲେ ସେ ସମସ୍ତ ଟ୍ୟାକ୍ସ ପଇଠ କରିଥିବାରୁ ତାଙ୍କର ଅସୁବିଧା ହୋଇନାହିଁ।
ରିଲିଜ ହୋଇସାରିଛି ବିଜୟଙ୍କ ଫିଲ୍ମ ବିଗିଲ୍‌। ବକ୍ସ ଅଫିସରେ ଏହା ୩ଶହ କୋଟି ବ୍ୟବସାୟ କରିଥିଲା। ଏହାକୁ ନେଇ ଆଇଟି ଅଧିକାରୀମାନେ ଫାଇନାନ୍ସର ଥିବା ଅନ୍‌ବୁଙ୍କ ଘରେ ରେଡ୍‌ କରିଥିଲେ। ସେଠାରେ ତାଙ୍କୁ ୭୭ କୋଟି ମିଳିଥିଲା। ଏତେଟଙ୍କା ତାଙ୍କ ପାଖରେ କେଉଁଆଡୁ ଆସିଲା ସେ ନେଇ ଅନ୍‌ବୁ ସଠିକ୍‌ ତଥ୍ୟ ଦେଇପାରି ନ ଥିଲେ। ଶେଷରେ କଥା ବିଜୟଙ୍କ ଘର ପର୍ଯ୍ୟନ୍ତ ପହଞ୍ଚିଥିଲା।

ବିଜୟଙ୍କ ଘର ଯାଞ୍ଚ ସମୟରେ ତାଙ୍କୁ ୧୩୦ କୋଟି ପାରିଶ୍ରମିକ ମିଳିଥିବା ଜଣାପଡ଼ିଛି। ଫିଲ୍ମ ‘ବିଗିଲ୍‌’ ପାଇଁ ୫୦ କୋଟି ଏବଂ ‘ମାଷ୍ଟର’ ପାଇଁ ତାଙ୍କୁ ୮୦ କୋଟି ମିଳିଥିବା କୁହାଯାଉଛି। ତେବେ ଏତିକିରେ ତାଙ୍କ ଅସୁବିଧା ସରିନାହିଁ। ତାଙ୍କର ସମସ୍ତ ପୁଞ୍ଜିନିବେଶକୁ ଆଇଟି ତରଫରୁ ଯାଞ୍ଚ କରାଯାଉଛି। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହେବ ବୋଲି ଆଲୋଚନା ହେଉଛି।

Share