Categories: ଜାତୀୟ

ଦୁଇ ଦଳିତଙ୍କୁ ନିର୍ମମ ପ୍ରହାର

ଜୟପୁର,୨୧।୨(ପି.ଟି.):ରାଜସ୍ଥାନର ନାଗୌର ଅନ୍ତର୍ଗତ କାର୍‌ନୁ ଗ୍ରାମରେ ଦୁଇ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯିବା ଘଟଣା ଏବେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଏକ ମୋଟର ସାଇକେଲ ଶୋ’ରୁମ୍‌ରୁ ଏଦୁହେଁ ଟଙ୍କା ଚୋରି କରୁଥିବା ଅଭିଯୋଗ କାରଣରୁ ଏମାନଙ୍କୁ ଆକ୍ରମଣ କରାଯାଇଛି। ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କ ମଳଦ୍ୱାରରେ ସ୍କୃଡାଇଭର ପୂରାଇ ନିସ୍ତୁକ ମାଡ଼ ମରାଯାଇଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ରାଜସ୍ଥାନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହା ପରେ ଶୋ’ରୁମ୍‌ରେ କାମ କରୁଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏଭଳି ହିଂସ୍ର ଆଚରଣ ମାନବିକ ଅଧିକାରର ସୀମା ସରହଦ ପାର୍‌ କରିଥିବା ନାଗୌର ଏମ୍‌ପି ହନୁମାନ ବେନିଓ୍ବାଲ୍‌ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆଇନ ସହ ଅନ୍ୟ ଦଫା ଲଗାଯାଇଥିବା ଏସ୍‌ପି କହିଛନ୍ତି।
ଫେବୃୟାରୀ ୧୬ରେ ଭାଇରାଲ ହୋଇଥିବାବେଳେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଦାୟୀ କରିଛନ୍ତି ଭାଜପା ଓ ବେନିଓ୍ବାଲ ନେତୃତ୍ୱାଧୀନ ଆର୍‌ଏଲ୍‌ପି। ଆର୍‌ଏଲ୍‌ପିର ୩ ବିଧାୟକ ଗୁରୁବାର ପ୍ଲାକାର୍ଡ ଧରି ବିଧାନସଭାରେ ପଶିବା ସହ ଦଳିତଙ୍କ ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକାଯାଉ ବୋଲି ନାରାବାଜି କରିଥିଲେ। ବଜେଟ ଅଧିବେଶନ ଯୋଗୁ ବାଚସ୍ପତି ହସ୍ତକ୍ଷେପ କରିବାରୁ ୩ ବିଧାୟକ ବିଧାନସଭା ସମ୍ମୁଖରେ ଧାରଣା ଦେଇଥିଲେ। ପ୍ରଦେଶ ଭାଜପା ଅଧ୍ୟକ୍ଷ ସତୀଶ ପୂନିଆ କହିଛନ୍ତି, ରାହୁଲଙ୍କ ଟୁଇଟ ପରେ ରାଜ୍ୟ ସରକାର ଆଖି ଖୋଲିବା ଦରକାର। ପୋଲିସ ଫେବୃୟାରୀ ୧୬ ପରିବର୍ତ୍ତେ ୧୯ରେ କାହିଁକି ମାମଲା ରୁଜୁ କଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Share