Categories: ଖେଳ

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ବୁଏନ୍‌ସ ଆରିଜ,୨୬।୭(ଏ.ଏଫ୍‌.ପି.)- ବକ୍ସିଂ ରିଙ୍ଗରେ ଆଘାତ ଲାଗିବା କାରଣରୁ ଆର୍ଜେଣ୍ଟିନା ବକ୍ସର ହୁଗୋ ସାଣ୍ଟିଲାନଙ୍କ ମୃତ୍ୟୁ ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଘଟଣା, ଯେଉଁଥିରେ ରିଙ୍ଗରେ ଲାଗିଥିବା ଆଘାତ ଯୋଗୁ ବକ୍ସରଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରୁଷିଆନ ବକ୍ସର ମାକ୍ସିମ ଡାଡାଶେଭ ଆମେରିକାରେ ଅନୁଷ୍ଠିତ ମ୍ୟାଚ୍‌ରେ ପ୍ରାଣ ହରାଇଥିଲେ। ଆର୍ଜେଣ୍ଟିନାର ରାଜଧାନୀଠାରେ ଉରୁଗୁଏର ଏଡଓ୍ବାର୍ଡ ଆବରେଙ୍କ ବିପକ୍ଷରେ ଶନିବାର ଖେଳାଯାଇଥିବା ୧୦ ରାଉଣ୍ଡ ବିଶିଷ୍ଟ ମ୍ୟାଚ୍‌ର ଫଳାଫଳ ଘୋଷଣାକୁ ଅପେକ୍ଷା କରିଥିବାବେଳେ ୨୩ ବର୍ଷୀୟ ସାଣ୍ଟିଲାନ ରିଙ୍ଗରେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ସେଠାରେ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ହୃଦ୍‌ଘାତ ଯୋଗୁ ଗୁରୁବାର ତାଙ୍କ ମୃତ୍ୟୁ ଘଟିଛି ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ସେ ବିଶ୍ୱ ବକ୍ସିଂ କାଉନ୍ସିଲ (ଡବ୍ଲ୍ୟୁବିସି) ଲାଣ୍ଟିନୋ ସିଲଭର ଲାଇଟଓ୍ବେଟ୍‌ ଟାଇଟଲ ପାଇଁ ଲଢ଼େଇ କରୁଥିଲେ। ତାଙ୍କ ନାମରେ ୧୯ ବିଜୟ ରହିଛି। ତାଙ୍କ ବିୟୋଗରେ ଡବ୍ଲ୍ୟୁବିସି ଟୁଇଟର ଜରିଆରେ ଦୁଃଖ ପ୍ରକାଶ କରିଛି।

Share