Categories: ଅନୁଗୋଳ

ଦୁଇ ଦିନିଆ ଗ୍ରାହକ ସେବା ମେଳା ଉଦ୍‌ଯାପିତ: ୩୧ କୋଟି ୯୧ ଲକ୍ଷ ଋଣ ପ୍ରଦାନ

ଅନୁଗୋଳ ଅଫିସ, ୬।୧୦ – ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଦୁଇ ଦିନିଆ ଗ୍ରାହକ ସେବା ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଦୁଇ ଦିନରେ ମୋଟ ୩୩ଟି ବ୍ୟାଙ୍କ ୧୩୯୧ ଜଣ ଲୋକଙ୍କୁ ୩୧ କୋଟି ୯୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଛନ୍ତି। ସର୍ବାଧିକ ଋଣ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ବିଶ୍ୱରେ ମାନ୍ଦାବସ୍ଥା ଚାଲୁଥିବାରୁ ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ପାଇଁ ଅର୍ଥମନ୍ତ୍ରଣାଳୟ ନିର୍ଦ୍ଦେଶକ୍ରମେ ବିଭିନ୍ନ ବ୍ୟାଙ୍କ ପ୍ରୟାସ ଆରମ୍ଭ କରିଛନ୍ତି। ସେହି କ୍ରମରେ ଅନୁଗୋଳରେ ଗ୍ରାହକ ସେବା ମେଳା ଅନୁଷ୍ଠିତ ହୋଇଛି। ଦୁଇ ଦିନ ମଧ୍ୟରେ ଜିଲାର ୭୪୦ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୯ କୋଟି ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବାବେଳେ କୃଷି ବାବଦକୁ ୧୯୪ ଜଣ ଚାଷୀଙ୍କୁ ୩ କୋଟି ଓ ୧୦୭ ଜଣ ଲୋକଙ୍କୁ ସୁନା ଋଣ ବାବଦରେ ୯୧ ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ମେଳାରେ ସମୁଦାୟ ୩୩ ବ୍ୟାଙ୍କ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ୧୩୦୩ ଜଣ ଲୋକଙ୍କୁ ୩୦ କୋଟି ୨୩ ଲକ୍ଷ ଟଙ୍କା ଋଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଶନିବାର ୮୯ ଜଣଙ୍କୁ ୧ କୋଟି ୬୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିବା ଇକୋ ବ୍ୟାଙ୍କ ଏଲଡ଼ିଏମ୍‌ ମହେଶ୍ୱର ଗୌଡ଼ ସୂଚନା ଦେଇଛନ୍ତି।