ଦୁଇ ଦିନ ପ୍ରବଳ କୁହୁଡ଼ି:ଫେବୃୟାରୀ ୧ରେ ବର୍ଷା

ଭୁବନେଶ୍ୱର,୨୮।୧(ବ୍ୟୁରୋ):ଗତ ଦୁଇଦିନ ରାଜ୍ୟରେ ଥଣ୍ଡା ସାମାନ୍ୟ ବୃଦ୍ଧି ପାଇଛି। ରାତ୍ରିର ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ଆସନ୍ତା ଦୁଇଦିନ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ହୋଇଛି। ଉପକୂଳବର୍ତ୍ତୀ ଜିଲା କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଝାରସୁଗୁଡା ଆଦି ଜିଲାରେ ପ୍ରବଳ କୁହୁଡ଼ି ହେବ। ତେବେ ଏହି ସମୟରେ କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ଫେବୃୟାରୀ ୧ ତାରିଖରେ ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଟ୍ରପ ଲାଇନ ସୃଷ୍ଟି ହେବ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ଏବଂ ଏହାର ଆଖପାଖ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆଞ୍ଚଳିକ ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୩ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି। ସୋମବାର ସୋନପୁରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀ ୮.୩, ଟିଟିଲାଗଡ ୯.୬, ଅନୁଗୋଳ ୮.୬ କେନ୍ଦୁଝର ୧୦.୨, ଝାରସୁଗୁଡା ୧୦.୨, ସମ୍ବଲପୁର ୧୦.୮ ଏବଂ ଦାରିଙ୍ଗିବାଡିିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share