ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଡ଼ିଶାର ଦୁଇ ନୂଆ କାରିଗରିକୁ ମିଳିବ ହସ୍ତଶିଳ୍ପର ମାନ୍ୟତା। କୁମ୍ଭକାରମାନଙ୍କୁ ହସ୍ପଶିଳ୍ପୀ ବର୍ଗରେ ସାମିଲ କରିବା ସହ ସେମାନଙ୍କ କାରିଗରିକୁ ହସ୍ତଶିଳ୍ପର ମାନ୍ୟତା ଦେବାକୁ ଚିନ୍ତାକରିଛି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ। ଏହାବ୍ୟତୀତ ବିଶ୍ୱପ୍ରସିଦ୍ଧ ଓଡ଼ିଶାର ଆଦିବାସୀ ଚିତ୍ରକଳା (ଟ୍ରାଇବାଲ୍ ଆର୍ଟ)କୁ ମଧ୍ୟ ରାଜ୍ୟ ସରକାର ହସ୍ତଶିଳ୍ପର ମାନ୍ୟତା ଦେବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଖୁବ୍ଶୀଘ୍ର ଉଭୟ କାରିଗରି ହସ୍ତଶିଳ୍ପର ମାନ୍ୟତା ପାଇବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ଯୁଗ୍ମସଚିବ ଅଞ୍ଜନା ପଣ୍ଡା। ରାଜ୍ୟରେ ଏବେ ୫୦ ମାନ୍ୟତାପ୍ରାପ୍ତ ହସ୍ତଶିଳ୍ପ ରହିଥିବାବେଳେ ଆଉ ଦୁଇ କାରିଗରି ସାମିଲ ହେଲେ ଏହି ସଂଖ୍ୟା ୫୨ରେ ପହଞ୍ଚତ୍ବ।
ଓଡ଼ିଶାରେ ୬୨ ଭିନ୍ନ ଜନଜାତି ସମ୍ପ୍ରଦାୟ ବସବାସ କରନ୍ତି। ପ୍ରତି ସମ୍ପ୍ରଦାୟର ନିଜର ସ୍ବତନ୍ତ୍ର ଚିତ୍ରକଳା ଶୈଳୀ ରହିଥିବାବେଳେ ଏହା ବିଭିନ୍ନ ସାମାଜିକ କଥା କାହାଣୀ ଉପରେ ପର୍ଯ୍ୟବସିତ ଥାଏ। ମଣିଷ, ହାତୀ, ଘୋଡ଼ା, ସୂର୍ଯ୍ୟ, ଚନ୍ଦ୍ର, ବୃକ୍ଷଲତା ଆଦିକୁ ନେଇ ଅଙ୍କାଯାଉଥିବା ସଉରା ଚିତ୍ରକଳାର ଆଦୃତି କେବଳ ଦେଶରେ ନୁହେଁ, ଦେଶ ବାହାରେ ମଧ୍ୟ ରହିଛି। ପ୍ରାକୃତିକ ରଙ୍ଗ ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର କରି ଅଙ୍କାଯାଉଥିବା ଜନଜାତି ଚିତ୍ରକଳା ପରିବେଶ ସୁରକ୍ଷାର ବାର୍ତ୍ତା ବହନ କରିଥାଏ। ହସ୍ତଶିଳ୍ପର ମାନ୍ୟତା ମିଳିଲେ ଧୀରେ ଧୀରେ ଲୋପ ପାଇଯାଉଥିବା ଏହି ବିରଳ କାରିଗରିର ପ୍ରଚାର ପ୍ରସାର କରାଯାଇପାରିବ।
ସେହିଭଳି ହାଣ୍ଡି, ମାଠିଆ ତଥା ପାରମ୍ପରିକ କୁମ୍ଭାର ଶିଳ୍ପକୁ ମଧ୍ୟ ହସ୍ତଶିଳ୍ପର ମାନ୍ୟତା ମିଳିବ। ସୂକ୍ଷ୍ମ ତଥା ନିଖୁଣ କାରିଗରି କାମ ହୋଇ ନଥିବାରୁ କୁମ୍ଭାର ଶିଳ୍ପକୁ ହସ୍ତଶିଳ୍ପର ମାନ୍ୟତା ମିଳୁ ନଥିଲା। ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ ରହିଥିବା ଏହି ଶିଳ୍ପକୁ ହସ୍ତଶିଳ୍ପ ବିଭାଗରେ ସାମିଲ କରିବାକୁ ଯୋଜନା ହୋଇଥିବା ଯୁଗ୍ମସଚିବ ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଡୋକ୍ରା, ଟେରାକୋଟା, ଚାନ୍ଦୁଆ, ନଡ଼ିଆ କତା କାରିଗରି, ଜନଜାତି ଅଳଙ୍କାର, ଶିଙ୍ଘ କାମ, ପଥର ଓ କାଠ କାରିଗରୀ, ବାଉଁଶ କଳାକୃତି, ପଟଚିତ୍ର, ଟସର ଚିତ୍ରକଳା, ଝୋଟ ଓ ଜରି କାମ, ଏମ୍ବ୍ରୋଡରୀ, ଗୋଲ୍ଡେନ୍ ଗ୍ରାସ୍, ଚାନ୍ଦି କାମ, ସବାଇ ଘାସ କଳାକୃତି ଭଳି ୫୦ଟି ଶିଳ୍ପକୁ ରାଜ୍ୟ ସରକାର ହସ୍ପଶିଳ୍ପର ମାନ୍ୟତା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାନ୍ୟତାପ୍ରାପ୍ତ ୭୨ଟି କଳାକୃତି ରହିଛି।