Categories: ଜାତୀୟ

ଦୁଇ ପରିବାରର ୯ ଜଣଙ୍କ ଆତ୍ମହତ୍ୟା

ଚେନ୍ନାଇ,୧୪ା୧୨(ପି.ଟି.): ପରିସ୍ଥିତି ମଣିଷକୁ ପଶୁସମ କରିଦେଇଥାଏ। ବୁଦ୍ଧି ବିବେକ ଥାଇ ବି ମଣିଷ ପରିସ୍ଥିତିର ଦାସ ପାଲଟି ଭୁଲ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥାଏ। ଦୁଇ ପରିବାରର ୯ଜଣ ଆତ୍ମହତ୍ୟା କରିବା ଘଟଣା ଲୋକଲୋଚନକୁ ଆସିବା ପରେ ଏହା ସତ୍ୟ ପ୍ରମାଣିତ ହୋଇଛି। ତାମିଲନାଡ଼ୁର ଭିଲ୍ଲୁପୁରମ୍‌ରେ ଗୋଟିଏ ପରିବାରର ୫ଜଣ ଓ ଡିିଣ୍ଡିଗୁଲ୍‌ରେ ଗୋଟିଏ ପରିବାରର ୪ଜଣ ଭିନ୍ନ ଭିନ୍ନ ଭାବେ ଆତ୍ମହତ୍ୟା କରିବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭଲ୍ଲୁପୁରମ୍‌ରେ ଅରୁଣ କୁମାର ବ୍ୟବସାୟରେ କ୍ଷତି ସହି ଋଣ କରିବା ସହ ଲଟେରିରେ ପ୍ରଚୁର ଟଙ୍କା ଲଗାଇ ଦେବାଳିଆ ହୋଇ ପଡ଼ିଥିଲେ। ଏହା ପରେ ସ୍ତ୍ରୀ ଶିବଗାମୀଙ୍କ ସହ ସେ ଆଲୋଚନା କରି ୩ ଝିଅଙ୍କୁ ବିଷ ଦେବା ପରେ ଦୁହେଁ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ନିଜ ସାଙ୍ଗଙ୍କୁ ଅରୁଣ ହ୍ବାଟ୍ସଆପ୍‌ରେ କାରଣ ଦର୍ଶାଇଥିଲେ। ସେହିଭଳି ଡିଣ୍ଡିଗୁଲ୍‌ ଜିଲାରେ ଶୁକ୍ରବାର ଗୋଟିଏ ପରିବାରର ୪ ଜଣ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏଭଳି ଚରମ ପଦକ୍ଷେପର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଏନେଇ ତଦନ୍ତ ଜାରି ରଖିଛି।

Share