ଦୁଇ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ଜୀବନ ଗଲା, ମା’ ଗୁରୁତର

ପୋଲସରା, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ପଞ୍ଚାୟତ ବଡ଼ସାହି ଗ୍ରାମରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ୨ ପୁଅଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ମୃତ ବାପା ହେଲେ ଅଭିମନ୍ୟୁ ପ୍ରଧାନ, ଗୁରୁତର ମା’ ଅପସରା ପ୍ରଧାନ।
ପ୍ରକାଶ ଯେ, କୌଣସି କାରଣକୁ ନେଇ ଅଭିମନ୍ୟୁଙ୍କ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲେ। ଏଥିରେ ରାଗିଯାଇ ୨ ପୁଅ ସୁଶାନ୍ତ (ବଡ଼) ଓ ମଙ୍ଗୁଳୁ(ସାନ) ଏକ ଠେଙ୍ଗାରେ ମା’ବାପାଙ୍କୁ ଆକ୍ରମଣ କରିଥିଲେ। ଅଭିମନ୍ୟୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମା’ ଅପସରାଙ୍କୁ ଗୁରୁତର ଅବସ୍ଥାରେ ପୋଲସର ମେଡିକାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଅଭିମନ୍ୟୁଙ୍କ ଝିଅ ସୁଶିଳା ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା (କେସ୍‌ ନଂ. ୧୫୧/୨୦) ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ଲାଗି ବ୍ରହ୍ମପୁର ପଠାଯାଇଥିବା ବେଳେ ଅଭିଯୁକ୍ତ ୨ ଭାଇ ସୁଶାନ୍ତ ଓ ମଙ୍ଗୁଳୁଙ୍କୁ ପୋଲିସ ଥାନାରେ ଅଟକରଖି ପଚରାଉଚରା ଚଳାଇଛି।

Share