Categories: ମେଟ୍ରୋ

ଦୁଇ ଭଉଣୀଙ୍କୁ ନୟାପଲ୍ଲୀ ଥାନାରେ ନିସ୍ତୁକ ମାଡ଼ ମାମଲା: ୫୦ ହଜାର ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିର ଦୁଇଉଭଣୀ ଗାୟତ୍ରୀ ଓ ଇତିଶ୍ରୀ ମଲିକଙ୍କୁ ପୋଲିସ ଉଠାଇ ନେଇ ଥାନାରେ ନିସ୍ତୁକ ମାଡ଼ ମାରିଥିଲା। ଏହି ମାମଲାର ଶୁଣାଣି କରି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଗୁରୁବାର ପୀଡିତା ଦୁଇ ଭଉଣୀଙ୍କୁ ୫୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସ ମାଡ଼ ମାରି ନିଜ ଦୋଷ ଲୁଚାଇବାକୁଯାଇ ମିଛ ମାମଲାରେ ସେମାନଙ୍କୁ ଜେଲ୍‌ ପଠାଇଥିଲା। ଫଳରେ ସେମାନଙ୍କ କ୍ୟାରିୟର ଉପରେ ମଧ୍ୟ ଏକ କଳାଦାଗ ଲାଗିଛି। ତେଣୁ ଦୁଇ ଉଭଣୀଙ୍କ ମାନବିକ ଅଧିକାର କ୍ଷୁଣ୍ଣ ହୋଇଥିବା କମିଶନ ହୃଦ୍‌ବୋଧ କରିଥିଲେ। ଏହାସହ ଏହି ମାଡ଼ ମାରିଥିବା ପୋଲିସଙ୍କ ବିରୋଧରେ ଆପରାଧିକ ମାମଲା ଜାରି ରଖିବା ପାଇଁ କମିଶନ କହିଛନ୍ତି। ଏପରି କି ଦୁଇମାସ ମଧ୍ୟରେ ଉଭୟଙ୍କୁ କ୍ଷତିପୂରଣ ଦିଆଯିବା ସଂକ୍ରାନ୍ତରେ ରିପୋର୍ଟ ଦେବାକୁ ମଧ୍ୟ କମିଶନ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ବେହେରା ସାହିସ୍ଥିତ ପ୍ଲଟ ନଂ.୩୦୧/୪ରେ ଜମ୍ବେଶ୍ୱର ମଲିକଙ୍କ ପରିବାର ରୁହନ୍ତି। ଯିବାଆସିବା ବାଟକୁ ନେଇ ଜମ୍ବେଶ୍ୱରଙ୍କ ପରିବାର ସହ ନିକଟରେ ଥିବା ଅନ୍ୟ ଏକ ପରିବାରର ବିବାଦ ରହିଥିଲା। ଏନେଇ ମାମଲା କୋର୍ଟରେ ବିଚାରାଧୀନ ଥିଲାବେଳେ ଜମ୍ବେଶ୍ୱର ଉକ୍ତ ପରିବାରର ଯାତାୟାତ ପାଇଁ କିଛି ଜାଗା ଛାଡିଥିଲେ। ହେଲେ ଭାରିଯାନ ନେବାକୁ ବାରଣ କରିଥିଲେ। କିନ୍ତୁ ୨୦୧୮ ମେ ୫ରେ ଉକ୍ତ ପରିବାରର ସଦସ୍ୟମାନେ ସେହିବାଟ ଦେଇ ଭାରିଯାନ ନେବାରୁ ଜମ୍ବେଶ୍ୱରଙ୍କ ଦୁଇ ଝିଅ ଗାୟତ୍ରୀ ଓ ଇତିଶ୍ରୀ ସେମାନଙ୍କୁ ବାରଣ କରିଥିଲେ। ଫଳରେ ପଡୋଶୀ ଲୋକେ ଜମ୍ବେଶ୍ୱରଙ୍କ ସ୍ତ୍ରୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ। ନୟାପଲ୍ଲୀ ଥାନାର ତତ୍କାଳୀନ ଏସ୍‌ଆଇ ମିନତି ନାୟକ, ସସ୍ମିତା ଧଳ ଓ ଦୁଇଜଣ କନଷ୍ଟେବଳ ଜମ୍ବେଶ୍ୱରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଥାନାକୁ ଆସିବାକୁ କହିଥିଲେ। ହେଲେ ଦୁଇଭଉଣୀ ରାଜି ନ ହେବାରୁ ପୋଲିସ ସେମାନଙ୍କ ଚୁଟି ଧରି ଘୋଷାରି ଭ୍ୟାନ୍‌ରେ ବସାଇ ଥାନାକୁ ଆଣିଥିଲା। ଥାନାରେ ଏସ୍‌ଆଇ ସସ୍ମିତା ଓ ମିନତି ଏକ ପାଇପ୍‌ରେ ନିସ୍ତୁକ ପିଟିଥିଲେ ତତ୍କାଳୀନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ମଧ୍ୟ ମାଡ ମାରିଥିବା ଦୁଇ ଭଉଣୀ ଅଭିଯୋଗ କରିଥିଲେ। ମାଡ଼ରେ ସେମାନଙ୍କ ଶରୀରର ବିଭିନ୍ନ ଅଂଶ ଫାଟି ଯାଇଥିଲା। ଏହାପରେ ପୋଲିସକୁ ଆକ୍ରମଣ କରିଥିବା ଦଫା ଲଗାଇ ଦୁଇ ଭଉଣୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ହେଲେ ଉଭୟଙ୍କ ନାମ ତରବରିଆ ଭାବେ ଭୁଲ୍‌ ଭାବେ ଉଲ୍ଲେଖ କରିଥିବାରୁ କୋର୍ଟରେ ପ୍ରକୃତ ଘଟଣା ଧରାପଡିଯାଇଥିଲା। କୋର୍ଟ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରିବା ସହ ଦୁଇ ଭଉଣୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ମାମଲାକୁ ନେଇ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ୨୦୧୮ ମେ ୧୪ରେ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଥିଲେ।

Share