ଦୁଇ ମହିଳା ଏସ୍‌ଆଇଙ୍କୁ ମାଡ଼, ଦୁଇ ଯୁବକ ଗିରଫ

ଭୁବନେଶ୍ୱର,୨୮।୭(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ରାଜମହଲ ଛକରେ ଖାରବେଳନଗର ଥାନାର ଦୁଇଜଣ ମହିଳା ଏସ୍‌ଆଇଙ୍କୁ ୩ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଛନ୍ତି। ଏ ନେଇ ଆକ୍ରମଣର ଶିକାର ହୋଇଥିବା ଜଣେ ଏସ୍‌ଆଇ ମଧୁସ୍ମିତା କର କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୨୬୯/୧୯) ରୁଜୁକରି ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୀମଟାଙ୍ଗୀର ଦେବାଶିଷ ପାଇକରାୟ ଓ ପୁରୁଣା ଭୁବନେଶ୍ୱରର ବିପିନ ବିହାରୀ ରାଉତ। ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବାକୁ ପୋଲିସ ଚଢାଉ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ଟାରେ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଖାରବେଳନଗର ଥାନା ପୋଲିସ ପକ୍ଷରୁ ଗାଡ଼ି ଚେକିଂ କରାଯାଉଥିଲା। ଏହି ସମୟରେ ସ୍କୁଟି ନେଇ ଯାଉଥିବା ଦୁଇଜଣ ଯୁବକଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ସେମାନେ ଅଟକିବା ବଦଳରେ ଦ୍ରୁତଗତିରେ ପଳାଇଥିଲେ। ମହିଳା ଏସ୍‌ଆଇ ମଧୁସ୍ମିତା ଓ ଅନ୍ୟ ଜଣେ ସେମାନଙ୍କ ପିଛା କରିଥିଲେ ମଧ୍ୟ ପାଇ ନ ଥିଲେ। ଫେରିବା ସମୟରେ ରାଜମହଲ ଛକରେ ଦେବାଶିଷ, ବିପିନ ଓ ଅନ୍ୟ ଜଣେ ଯୁବକ ଗାଡ଼ି ଉପରେ ବସି ଦୁଇ ମହିଳା ଏସ୍‌ଆଇଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲେ। ଦୁଇ ମହିଳା ଏସ୍‌ଆଇ ସେମାନଙ୍କ ନିକଟରେ ପହଞ୍ଚତ୍ ପଚାରିବା ସହ ଥାନାକୁ ଯିବାକୁ କହିଥିଲେ। ହେଲେ ସମ୍ପୃକ୍ତ ଯୁବକମାନେ ଦୁଇ ମହିଳା ଏସ୍‌ଆଇଙ୍କୁ ମାଡ଼ ମାରିଥିଲେ। ଏହାଦେଖି ସେଠାରେ ଲୋକ ରୁଣ୍ଡ ହୋଇଯିବାରୁ ଯୁବକମାନେ ଚିତ୍କାର କରି ମିଛ ମାମଲାରେ ପୋଲିସ ଫସାଇ ମାଡ଼ମାରି ଉଠାଇ ନେଉଥିବା କହିଥିଲେ। ହେଲେ ଲୋକେ ଯୁବକଙ୍କ କାର୍‌ନାମା ଜାଣିପାରି ସେମାନଙ୍କୁ ମାଡ଼ ମାରି ପୋଲିସ ଭ୍ୟାନ୍‌ରେ ବସାଇଦେଇଥିଲେ। ଏନେଇ କ୍ୟାପିଟାଲ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ଦୁଇ ମହିଳା ଏସ୍‌ଆଇଙ୍କୁ ଗାଳିଗୁଲଜ ସହ ମାଡ଼ ଘଟଣାରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି। ଏନେଇ ଘଟଣାର ତଦନ୍ତ ଚାଲିଛି।

Share