Categories: ଖେଳ

ଦୁଇ ମାସ ବ୍ୟାଡ୍‌ମିଣ୍ଟନରୁ ଦୂରେଇ ରହିବେ ମୋମୋତା

ଟୋକିଓ, ୧୪।୧ (ଏଏଫ୍‌ପି)- ଦୁର୍ଘଟଣାର ସମ୍ମୁଖୀନ ହୋଇ ଆଘାତପ୍ରାପ୍ତ ହୋଇଥିବା ବିଶ୍ୱର ଏକ ନମ୍ବର ପୁରୁଷ ବ୍ୟାଡ୍‌ମିଣ୍ଟନ ଖେଳାଳି ଜାପାନର କେଣ୍ଟୋ ମୋମୋତା ୨ ମାସ ଲାଗି କୋର୍ଟରୁ ଦୂରେଇ ରହିବେ। ସମ୍ଭବତଃ ମାର୍ଚ୍ଚରେ ହେବାକୁ ଥିବା ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ବେଳକୁ ମୋମୋତା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜାପାନ ବ୍ୟାଡ୍‌ମିଣ୍ଟନ ଆସୋସିଏଶନର ସାଧାରଣ ସମ୍ପାଦକ କିନ୍‌ଜି ଜେନିୟା କହିଛନ୍ତି। ୨୫ ବର୍ଷୀୟ ମୋମୋତା ରବିବାର ମାଲେସିଆ ମାଷ୍ଟର୍ସ ଟାଇଟଲ୍‌ ଜିତିବାର କିଛି ଘଣ୍ଟା ପରେ କୁଆଲାଲମ୍ପୁରଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ଯାଉଥିବା ଭ୍ୟାନ ଏକ ଲରିକୁ ଧକ୍କା ଦେଇଥିଲା। ଫଳରେ ଭ୍ୟାନ ଡ୍ରାଇଭର ଘଟଣାସ୍ଥଳରେ ଭିତରେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ମୋମୋତାଙ୍କ ନାକର ହାଡ଼ ଭାଙ୍ଗିଯାଇଥିଲା। ଏହାପରେ ସୋମବାରଠାରୁ ମୋମୋତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମୋମୋତାଙ୍କ ସମେତ ଭ୍ୟାନରେ ଥିବା ସହାୟକ କୋଚ୍‌, ଫିଜିଓଥେରାପିଷ୍ଟ ଓ ବ୍ୟାଡ୍‌ମିଣ୍ଟନ ଅଫିସିଆଲ ମଧ୍ୟ ଆଘାତପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ଗତବର୍ଷ ମୋମୋତା ମୋଟ୍‌ ୧୧ଟି ଟାଇଟଲ୍‌ ଜିତିଥିଲେ। ଯେଉଁଥିରେ ବିଶ୍ୱ ଚାମ୍ପିୟନଶିପ୍‌, ଏସିଆନ ଚାମ୍ପିୟନଶିପ୍‌ ଓ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପରି ପ୍ରମୁଖ ଟ୍ରଫି ରହିଛି।

Share