Categories: ଫୁରସତ

ଦୁଇ ମାସ ଶୋଉଥିବା ଝିଅ

କିମ୍ବଦନ୍ତୀ କହେ କୁମ୍ଭକର୍ଣ୍ଣ ୬ ମାସ ଶୋଉଥିଲେ। ତେବେ ବାସ୍ତବ ଜୀବନରେ କ’ଣ ଏମିତି ଘଟେ? ହଁ ଘଟିଥାଏ। କଲମ୍ବିଆର ଆକାସିଆସ୍‌ ସହରରେ ରହୁଥିବା ୧୭ ବର୍ଷୀୟା ଶାରିକା ତୋଭାରଙ୍କ ଜୀବନରେ ଏହା ଘଟୁଛି। ମାତ୍ର ୨ ବର୍ଷ ବୟସର ହୋଇଥିବା ସମୟରୁ ସେ ଏକ ବିରଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି, ଯାହା ‘ସ୍ଲିପିଂ ବ୍ୟୁଟି’ ନାମରେ ପରିଚିତ। ଏହା ଏକ ଅତି ବିରଳ ଘଟଣା। ଆଜି ପର୍ଯ୍ୟନ୍ତ ସାରା ପୃଥିବୀରେ ମାତ୍ର ୪୦ଟି ଏଭଳି ଘଟଣା ଦେଖିବାକୁ ମିଳିଛି। ଶାରିକା ହାଇପରସୋମ୍ନିଆ ବା ଗାଢ ନିଦ୍ରାରେ ୨ ମାସ ପର୍ଯ୍ୟନ୍ତ ରହନ୍ତି। ଏହି ସମୟରେ ତାଙ୍କ ମା’ ମାର୍ଲେନୀ ଝିଅକୁ କିଛି ଘଣ୍ଟା ଅନ୍ତରାଳରେ ଖୁଆଇଥାଆନ୍ତି। ଖାଦ୍ୟକୁ ଗ୍ରାଇଣ୍ଡ କରିବା ସହ ତରଳ ଅବସ୍ଥାରେ ଟ୍ୟୁବ୍‌ ମାଧ୍ୟମରେ ଖୁଆନ୍ତି। ଝିଅର ଏଭଳି ସ୍ଥିତି ପାଇଁ ମାର୍ଲେନୀଙ୍କୁ ଚାକିରି ବି ଛାଡିବାକୁ ପଡିଥିଲା। ଏହି ଗାଢ ନିଦ୍ରାରୁ ଉଠିବା ପରେ ଶାରିକା କେବେ ଆଂଶିକ ତ କେବେ ସମ୍ପୂର୍ଣ୍ଣ ସ୍ମରଣଶକ୍ତି ହରାଇ ବସନ୍ତି। ଏମିତିକି ନିଜ ମା’କୁ ବି ଚିହ୍ନିପାରନ୍ତି ନାହିଁ। ତେବେ ଏ ପର୍ଯ୍ୟନ୍ତ ଏହି ରୋଗର କାରଣ ଜଣାପଡିନାହିଁ। ଏହା ଭାଇରାଲ ଇନଫେକ୍ସନରୁ ହୋଇଥାଇପାରେ ବୋଲି ଡାକ୍ତର କହନ୍ତି।

Share