ଦୁଇ ମିନିଟର ଭିଡିଓ ବଦଳାଇଲା ଜୀବନ: ଷ୍ଟେଶନରେ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ଏବେ ଷ୍ଟାର, ଦଶ ବର୍ଷ ପରେ ଭେଟିଲେ ଝିଅଙ୍କୁ

ମୁମ୍ବାଇ: ଦୁଇ ମିନିଟର ଭିଡିଓ ବଦଳାଇଛି ଜୀବନ। ରାନୁ ମାରିୟା ମଣ୍ଡଳ ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେଶନରେ ବସି ଗାଉଥିବା ବେଳର ଏକ ଭିଡିଓକୁ ଯାତ୍ରୀ ଅତିନ୍ଦ୍ର ଚକ୍ରବର୍ତ୍ତୀ ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏଥିରେ ତାଙ୍କୁ ଲତା ମଙ୍ଗେସକରଙ୍କ ଗୀତ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ତେବେ ତାଙ୍କର ସୁମଧୁର କଣ୍ଠ ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିଭିନ୍ନ ମହଲରୁ ତାଙ୍କ ଗାୟନ ଶୈଳୀକୁ ପ୍ରଶଂସା କରାଯାଇଥିଲା। ଏବେ ଉକ୍ତ ଭିଡିଓ ତାଙ୍କ ଜୀବନ ବଦଳାଇଛି।

ବିଭିନ୍ନ ରେଡିଓ ଚ୍ୟାନେଲ୍‌, ଫିଲ୍ମ ପ୍ରଯୋଜନା ସଂସ୍ଥା ତରଫରୁ ରାନୁଙ୍କୁ ଗୀତ ଗାଇବାକୁ ସୁଯୋଗ ମିଳିବାରେ ଲାଗିଛି। କେବଳ ଏତିକି ନୁହେଁ ସ୍ବାମୀଙ୍କୁ ହରାଇଥିବା ରାନୁ ଦୀର୍ଘ ୧୦ ବର୍ଷ ପରେ ଝିଅଙ୍କୁ ଭେଟିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ରାନୁ କହିଛନ୍ତି, ତାଙ୍କୁ ଦ୍ୱିତୀୟ ଜୀବନ ମିଳିଗଲା ପରି ମନେହେଉଛି। ସେ ବହୁତ ଖୁସି। ଆଗାମୀ ସମୟ ସେ ଖୁସିରେ ଅତିବାହିତ କରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

Share