Categories: ଫୁରସତ

ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍‌କ୍ରିପ୍‌ସନ୍‌ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ କ୍ଷେତ୍ରରେ। ଦୁଇ ଯୁବକଙ୍କ ପେଟ ଦରଜ ହେବାରୁ ସେମାନେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ସେମାନଙ୍କ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଏମିତି ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡ ରାଜ୍ୟ ସିମରିଆର ଚୋରବୋରା ଗାଁର ଯୁବକ ଗୋପାଳ ଗଂଝୁ ଏବଂ କାମେଶ୍ୱର ଗଂଝୁଙ୍କ କ୍ଷେତ୍ରରେ। ଏହି ଦୁଇ ଯୁବକଙ୍କ ପେଟରେ ଯନ୍ତ୍ରଣା ହେବାରୁ ସିମରିଆ ରେଫରାଲ ହସ୍ପିଟାଲ ଯାଇଥିଲେ। ଡାକ୍ତର ମୁକେଶ ଗର୍ଭ ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତର ଲେଖିଥିବା ପ୍ରେସ୍‌କ୍ରିପ୍‌ସନ୍‌ରେ ଏଏନ୍‌ସି ଅର୍ଥାତ୍‌ ଆଣ୍ଟି ନେଟାଲ ଚେକ୍‌ଅପ୍‌ ପାଇଁ ପରାମର୍ଶ ଦିଆଯାଇଛି। ଦୁଇ ଯୁବକଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ନଂ ୧୭୦୨୮ ଏବଂ ୧୭୦୩୨। ଖାଲି ଏତିକି ନୁହେଁ, ଏଥିରେ ଏଚ୍‌ଆଇଭି, ଏଚ୍‌ବିଏ, ଏଚ୍‌ସିବି, ଏଚ୍‌ଏଚ୍‌-୨ ଏବଂ ଏଏନ୍‌ସି ଚେକ୍‌ଅପ୍‌ ପାଇଁ ଲେଖାଯାଇଛି। ଦୁଇ ଯୁବକଙ୍କୁ ଡାକ୍ତର ଏକାପ୍ରକାର ଔଷଧ ବି ଲେଖିଛନ୍ତି। ପ୍ରେସ୍‌କ୍ରିପ୍‌ସନ୍‌ ନେଇ ଦୁଇଜଣ ଏକ ପାଥୋଲାବକୁ ଯାଇଥିଲେ। ଲ୍ୟାବ୍‌ରେ କିଛି ପରୀକ୍ଷା ମଧ୍ୟ କରାଯାଇଥିଲା କିନ୍ତୁ ଗର୍ଭ ପରୀକ୍ଷା ପାଇଁ ମନା କରାଯାଇଥିଲା।

ପରେ ଦୁଇ ଯୁବକ ସିଭିଲ ସର୍ଜନ ଡାକ୍ତର ଅରୁଣ କୁମାର ପାଶ୍‌ଓ୍ବାନ୍‌ଙ୍କ ନିକଟକୁ ଯାଇଥିଲେ। ଏହା ପରେ ଡାକ୍ତର ଅରୁଣ ପ୍ରଭାରୀଙ୍କୁ ଯାଞ୍ଚ କରି ଦୁଇଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଦ୍ୱିତୀୟ ଥର ଡାକ୍ତର ମୁକେଶ ଅଲଗା ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ମୁକେଶଙ୍କୁ ପଚାରିବାରୁ ପ୍ରେସ୍‌କ୍ରିପ୍‌ସନ୍‌ରେ ଓଭର ରାଇଟିଂ କରାଯାଇଛି। ତାଙ୍କୁ ବଦ୍‌ନାମ କରିବାକୁ ଏପରି କେହି କରିଛି ବୋଲି କହିଛନ୍ତି।

Share