Categories: କନ୍ଧମାଳ

ଦୁଇ ହଷ୍ଟେଲରେ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ, ଶିକ୍ଷକଙ୍କୁ ବଦଳି କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୩ା୧୦-କନ୍ଧମାଳ ଜିଲା ମଙ୍ଗଳ ବିଭାଗ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଭାଗ ଅଧୀନରେ ଚାଲିଥିବା ଦୁଇଟି ହଷ୍ଟେଲର ୨ ଛାତ୍ରୀଛାତ୍ରଙ୍କ ଗତ ମାସରେ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଗୋଟିଏ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ (ଡେପୁଟେଶନ)ଙ୍କୁ ନିଜ ମୂଳସ୍ଥାନକୁ ଫେରାଇ ନିଆଯାଇଛି । ତେବେ ଘଟଣା ସମାନ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଅଲଗାକୁ ନେଇ ସବୁଠି ଅସନ୍ତୋଷ ଦେଖାଦେଇଛି ।
ଟିକାବାଲି ଥାନା କୋଚିଲାଗଡ଼ରେ ଥିବା ଅନ୍ବେଶା ହଷ୍ଟେଲରେ ଗତ ୨୧ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ବାବୁଲା ପ୍ରଧାନ ତାଜାରୁ ଖସି ପଡିଥିଲେ ା ଖଟରେ ମଶାରୀ ବନ୍ଧାଯିବା ପାଇଁ ଥିବା ରଡ ପିଚାରେ ପଶିଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ସେ ସମୟରେ ଜିଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ନିଷ୍ପତ୍ତି ନେବେ ବୋଲି କହିଥିଲେ ା ତଦନ୍ତ ଏପରି ହେଲା ଯେ ଡେପୁଟେଶନରେ ଆସିଥିବା ଶିକ୍ଷକ ତଥା ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ ଗୁରୁ ପ୍ରସାଦଙ୍କୁ ନିଜ ସ୍ଥାନ ଡୁଙ୍ଗି ସ୍କୁଲକୁ ଫେରାଇ ନିଆଗଲା ା ଅନ୍ୟପକ୍ଷରେ ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ହାଇସ୍କୁଲ ହଷ୍ଟେଲରେ ରହି ପଢ଼ୁଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ ଜସ୍ମିନ ଦିଗାଲଙ୍କ ମୃତ୍ୟୁ ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟ ସରୋଜିନୀ ନାୟକଙ୍କୁ ନିଲମ୍ବିତ କରାଗଲା ା ଜସ୍ମିନ ପୂର୍ବରୁ ସିକଲସେଲ ରୋଗରେ ପୀଡ଼ିତ ଥିଲେ। ସେ ହଠାତ ଅସୁସ୍ଥ ହୋଇପଡିଥିଲେ ା ପ୍ରଧାନଶିକ୍ଷକ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ତାଙ୍କୁ ଚିକିତ୍ସା ପାଇଁ ନେବାରେ ଅବହେଳା ପ୍ରଦର୍ଶନ କରିଥିଲେ। ଏହି ଖବର ପାଇବା ପରେ ଜସ୍ମିନଙ୍କ ମା’ ବାପା ପହଞ୍ଚି ତାଙ୍କୁ ଫୁଲବାଣୀ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଗତ ୨୯ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ହଷ୍ଟେଲରୁ ଜସ୍ମିନଙ୍କୁ ମେଡିକାଲ ନେବାରେ ବିଳମ୍ବ କରାଯିବାରୁ ଏଭଳି ଘଟିଲା ଦର୍ଶାଯାଇ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସୁପରିଣ୍ଟେଣ୍ଡେଣ୍ଟ ସରୋଜିନୀଙ୍କୁ ନିଲମ୍ବିତ କରାଗଲା ା ଛାତ୍ର ହଷ୍ଟେଲ ତାଜା ଉପରକୁ ଚଢ଼ିବା ଏବଂ ସେଠାରୁ ଗଳି ପଡିବା ଘଟଣାରେ ସୁପରିଣ୍ଟେଣ୍ଡେଣ୍ଟଙ୍କ କୌଣସି ଦୋଷ ନ ଥିବା ଭଳି କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିି ନିଆଗଲା। କୌଣସି ସରକାରୀ ଅଧିକାରୀଙ୍କ ପୁଅ କ୍ଷେତ୍ରରେ ଏଭଳି ଘଟଣା ଘଟିଥିଲେ କ’ଣ ଏହି ନିଷ୍ପତ୍ତି ନିଆଯାଇଥାନ୍ତା ବୋଲି ପ୍ରଶ୍ନ ଉଠିଛି। ଏହି ଘଟଣାର ତଦନ୍ତ ଅନ୍ୟ ବିଭାଗର ଅଧିକାରୀଙ୍କ ଦ୍ୱାରା କରାଯିବାକୁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।