ଦୁଗ୍ଧଚାଷୀଙ୍କ ପେଟରେ କରୋନା ଲାତ

ସାକ୍ଷୀଗୋପାଳ, ୧୬ା୪(ଡି.ଏନ.ଏ): କରୋନା ଯୋଗୁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗୋପାଳନ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ସତ୍ୟବାଦୀ ବ୍ଲକ ଓ ଆଖପାଖ ଅଞ୍ଚଳର ଦୁଗ୍ଧଚାଷୀ ମଧ୍ୟ ଏହାଦ୍ୱାରା ବିଶେଷ ପ୍ରଭାବିତ ହୋଇଛନ୍ତି। କ୍ଷୀର ବିକ୍ରୀ ହେଉ ନ ଥିବାରୁ ସେମାନଙ୍କ ଆର୍ଥିକ ଦୁର୍ଗତି ଦେଖାଦେଇଛି। ଗୋରୁଙ୍କୁ ଆହାର ଦେବା ପାଇଁ ଗୋଠ ନେଇ ବାଡ଼ିି ବଗିଚା, ନଈ ବନ୍ଧ ବୁଲିବାକୁ ପଡୁଛି। ପ୍ରତିଦିନ ଆଖପାଖ ସହର ଓ ବଜାରରେ ଥିବା ମିଠା ଓ ଚା ଦୋକାନ ସହିତ ପୁରୀର ଚନ୍ଦନପୁର, ସାକ୍ଷୀଗୋପାଳ, ସାତଶଙ୍ଖ, ବଳଙ୍ଗାରେ କ୍ଷୀର, ଛେନା, ରାବିଡ଼ି, ଖୁଆ ଓ ପନିର ଆଦି ବିକ୍ରୟ କରୁଥିବାବେଳେ ଏବେ ସେମାନେ ହାତବାନ୍ଧି ବସିଛନ୍ତି। ନିଜ ପରିବାରକୁ ଦୁଇ ବେଳା ପେଟପୁରା ଖାଇବାକୁ ଦେବା ଏବଂ ଗୋରୁଙ୍କ ଲାଗି ଦାନା ଗଣ୍ଡାଏ ଯୋଗାଡ଼ କରିବା କଷ୍ଟକର ହୋଇପଡୁଛି। ବଳପୁର ଆନନ୍ଦପୁରର ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି, ସେ ରଖିଥିବା ଦୁଇଟି ଗାଈରୁ ଗୋଟିଏ ଗାଈ ଦୈନିକ ୧୫ ଲିଟର କ୍ଷୀର ଦିଏ। ଏହାକୁ ସେ ବିକି ପରିବାର ଚଳାଇବା ସହ ଗାଈକୁ ଖାଦ୍ୟ ଯୋଗାଉଥିଲେ। ସେହିପରି ବୈରାଗୀ ବେହେରା କହିଛନ୍ତି, ସେ ଦୈନିକ ପୁରୀକୁ ୫୦ କେଜିରୁ ଅଧିକ ଛେନା ଯୋଗାଉଥିଲେ। ଏଥିପାଇଁ ସେ ଆଖପାଖ ଗ୍ରାମର ଗୋପାଳକମାନଙ୍କଠାରୁ କ୍ଷୀର ସଂଗ୍ରହ କରୁଥିଲେ। ତାହା ଏବେ ହୋଇପାରୁ ନାହିଁ। ବନମାଳୀପୁରର ଦାଶରଥି ବେହେରା କହିଛନ୍ତି, ସେ ଗାଈ, ମଇଁଷି, ଛେଳି, ମେଣ୍ଢା ବ୍ୟବସାୟ ଚଳାଇଥିଲେ। ରାମ ବେହେରା କହିଛନ୍ତି, ସାକ୍ଷୀଗୋପାଳ ବଜାରରେ ପ୍ରତିଦିନ ୩୦ କେଜି ଛେନା ବିକୁଥିଲେ। ଏମାନଙ୍କ ପରି ଅନେକ ଦୁଗ୍ଧଚାଷୀ ଏବଂ ଗୋପାଳକ ଏବେ ଦୁର୍ଦ୍ଦିନରେ କାଳ କାଟୁଥିବାବେଳେ ସରକାର ସେମାନଙ୍କ ସହାୟତା ନେଇ କିଛି ଚିନ୍ତା କରୁ ନ ଥିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ଫନୀ ମାଡରେ ଅଧିକାଂଶ ଗୁହାଳ ଭାଙ୍ଗି ମାଟିରେ ମିଶିଥିଲା। ଏପର୍ଯ୍ୟନ୍ତ ସହାୟତା ମିଳିନାହିଁ। ଏଭଳି ସ୍ଥିତିରେ ଗୋ ସମ୍ପଦର ସୁରକ୍ଷା ନେଇ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦୃଢ଼ ଦାବି କରିଛନ୍ତି।

Share