ସବୁଠୁ ମହଙ୍ଗା ବିୟର

ନିକଟରେ କିଛି ହୋଟେଲ ପକ୍ଷରୁ ଗ୍ରାହକଙ୍କୁ ଚକିତ କରିଦେବା ଭଳି ଦିଆଯାଉଥିବା ବିଲ୍‌ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ସୋସିଆଲ ମିଡିଆର ଟ୍ରୋଲର ଶିକାର ହେବାକୁ ମଧ୍ୟ ପଡ଼ିଛି। କିଛି ଦିନ ତଳେ ବଲିଉଡ୍‌ ଅଭିନେତା ରାହୁଲ ବୋଷ ଏକ ହୋଟେଲରେ ୨ଟି କଦଳୀ ପାଇଁ ୪୪୨ ଟଙ୍କାର ବିଲ୍‌ ଦେଇଥିବା ବେଳେ ‘ଅଲ ଦ କ୍ୱିନ୍ସ ମେନ’ର ଲେଖକ କାର୍ତ୍ତିକ ଧରଙ୍କଠାରୁ ୨ଟି ସିଝା ଅଣ୍ଡା ପାଇଁ ୧୭୦୦ଟଙ୍କା ଆଦାୟ କରାଯାଇଥିଲା।

ଏହାରି ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ହୋସ୍‌ ଉଡିଯିବ। ନିକଟରେ ଅଷ୍ଟ୍ରେଲିଆର କ୍ରିକେଟ ଖବରଦାତା ପିଟର ଲାଲୋରଙ୍କଠାରୁ ମାଞ୍ଚେଷ୍ଟରରେ ଥିବା ଏକ ହୋଟେଲ ଗୋଟିଏ ବିୟର ପାଇଁ ୭୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଛି। ସୂଚନାଯୋଗ୍ୟ, ମାଲମେଶନ ହୋଟେଲକୁ ପିଟର ଲାଲୋର ଓ ତାଙ୍କର କିଛି ସାଙ୍ଗ ଯାଇଥିଲେ। ସେଠାରେ ସେମାନେ ବିୟର ପାର୍ଟି କରିଥିଲେ। ହେଲେ ଯେତେବେଳେ ସେମାନଙ୍କ ହାତରେ ବିୟରର ବିଲ୍‌ ଦିଆଯାଇଥିଲା ସେତେବେଳେ ତାଙ୍କ ସବୁ ନିଶା ଉଡ଼ିଯାଇଥିଲା। କାରଣ ତାଙ୍କ ଆକାଉଣ୍ଟରୁ ୯୯,୯୮୩.୬୪ ଡଲାର (ପ୍ରାୟ ୭୧ ଲକ୍ଷ ୬୫ ହଜାର ୩୧ ଟଙ୍କା) କଟି ଯାଇଥିଲା। ବିଲ୍‌ ଦେଉଥିବା ବେଳେ ପିଟର ଚଷମା ପିନ୍ଧି ନ ଥିବାରୁ ଟଙ୍କା ବାବଦରେ ତାଙ୍କୁ କିଛି ଜଣା ନ ଥିଲା। ହେଲେ ହୋଟେଲର ଜଣେ ଷ୍ଟାଫ୍‌ ଏନେଇ ତାଙ୍କୁ ଜଣାଇବା ପରେ ସେ ହୋଟେଲର ମ୍ୟାନେଜର ସହ କଥା ହୋଇଥିଲେ। ବାସ୍ତବିକ ବିଲ୍‌ ପରେ ଥିବା ଅତିରିକ୍ତ ଟଙ୍କାକୁ ତାଙ୍କୁ ଫେରାଇ ଦିଆଯିବ ବୋଲି ମ୍ୟାନେଜର କହିଥିଲେ। ଏଥିସହ ଏଭଳି ଭୁଲ କିପରି ହେଲା ସେ ନେଇ ଯାଞ୍ଚ କରାଯିବ ବୋଲି କହିବା ସହ ସେ ପିଟରଙ୍କୁ କ୍ଷମା ମାଗିଥିଲେ। ଏହାପରେ ଘଟଣା ବାବଦରେ ପିଟର ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।  ସେ ଲେଖିଥିଲେ, ଏହି ବିୟରକୁ ଦେଖ, ଏହା ଇତିହାସର ସବୁଠାରୁ ମହଙ୍ଗା ବିୟର।

Share