ଦୁବାଇରୁ ଫେରିଲେ ୧୫୧ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଗୁରୁବାର ରାତିରେ ଦୁବାଇରୁ ପ୍ରବାସୀ ଓଡ଼ିଆଙ୍କୁ ଆଣି ଏକ ଅନ୍ତର୍ଜାତୀୟ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିଛି। ବିମାନରେ ମୋଟ ୧୫୧ ଜଣ ଯାତ୍ରୀ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୧୪୯ ଜଣ ବୟସ୍କ ଏବଂ ୨ ଜଣ ବର୍ଷକର ଶିଶୁ ଥିବା ଜଣାପଡ଼ିଛି। ବନ୍ଦେ ଭାରତ ମିଶନରେ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଜାରି ରହିଥିବାବେଳେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚିଛି। ତେବେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଥରକେ ୨୦ ଜଣ ଯାତ୍ରୀ ବିମାନରୁ ଓହ୍ଲାଇ ପଞ୍ଜୀକରଣ କେନ୍ଦ୍ରକୁ ଆସିଥିଲେ। ପରେ ଟର୍ମିନାଲ ବାହାରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲା ଓ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଇଥିଲା। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି କାର୍ଯ୍ୟ କରାଯାଇଥିବାବେଳେ କରାଯାଇଥିବା ପଞ୍ଜୀକରଣ ଓ ଥର୍ମାଲ ସ୍କ୍ରିନିଂ କେନ୍ଦ୍ରରେ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିଥିବା ଦେଖିବାକୁ ମିଳିଥିଲା। ଏଥିସହ ସେମାନଙ୍କ ଗମନାଗମନ ପାଇଁ ସବିଶେଷ ସୁବିଧା କରାଯାଇଥିଲା। ଯାତ୍ରୀମାନେ ବିଳମ୍ବିତ ରାତିରେ ବିମାନବନ୍ଦର ସମ୍ମୁଖରେ ଥିବା କ୍ୟାବ୍‌ ତଥା ନିଜ ଗାଡ଼ି ଓ ମୋ ବସ୍‌ରେ ନିଜ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ଖୋର୍ଦ୍ଧା, କଟକ ଓ ଭୁବନେଶ୍ୱର ଯିବାକୁ ଥିବା କିଛି ଯାତ୍ରୀ ମୋ ବସ୍‌ ଦ୍ୱାରା ଯାଇଥିବା ଜଣାପଡ଼ିଛି। ତେବେ ବିମାନଯାତ୍ରୀଙ୍କ ତଥ୍ୟ ସମ୍ପୃକ୍ତ ଜିଲା ଓ ଗଁାକୁ ଜଣାଇ ଦିଆଯାଇଛି। ପ୍ରବାସୀମାନେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ କିପରି କ୍ୱାରାଣ୍ଟାଇନ୍‌ରେ ରହିବେ ସେନେଇ ଉଲ୍ଲେଖ କରିଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

Share