ଦୁବାଇରୁ ଭାୟା କୋଲକାତା ଦେଇ ଭଦ୍ରକ ଆସିଥିଲେ ୪ର୍ଥ କରୋନା ଆକ୍ରାନ୍ତ: ବାଗ୍‌ଚୀ

ଭୁବନେଶ୍ୱର,୧।୪(ବ୍ୟୁରୋ): ଓଡ଼ିଶାରେ ଚିହ୍ନଟ ହୋଇଥିବା ୪ର୍ଥ କରୋନା ସଂକ୍ରମିତଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ବୁଧବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି, ଚତୁର୍ଥ ପଜିଟିଭ୍‌ ବ୍ୟକ୍ତି ଜଣଙ୍କ ବିଦେଶ ଫେରନ୍ତା ୨୯ବର୍ଷୀୟ ଯୁବକ। ସେ ଦୁବାଇରେ ରହି କାମ କରୁଥିଲେ।

ଗତ ୧୮ମାର୍ଚ୍ଚରେ ଫ୍ଲାଇଟ୍‌ ନଂ-ଇକେ୫୭୦ ଦ୍ୱାରା ଦୁବାଇରୁ କୋଲକାତା ଆସିଥିଲେ। କୋଲକାତା ବିମାନବନ୍ଦରରୁ ଏକୁଟିଆ ଟ୍ୟାକ୍ସିରେ ହାଓ୍ବଡା ଷ୍ଟେଶନକୁ ଯାତ୍ରା କରିଥିଲେ। ସେହିଭଳି ୧୮ ମାର୍ଚ୍ଚ ଦିନ ହାଓ୍ବଡାରୁ ଇଷ୍ଟକୋଷ୍ଟ ରେଳ(କୋଚ୍‌ ନଂ-ଏସ୍‌୧୧) ଯୋଗେ ଭଦ୍ରକ ଷ୍ଟେଶନ ଆସିଥିଲେ। ସେଠାରୁ ଅଟୋ ରିକ୍ସାରେ ଘରକୁ ଆସିଛନ୍ତି। ବିଦେଶରୁ ଆସିଥିବା ହେତୁ ସେ ନିଜ ଘରେ ସଂଗରୋଧ ହୋଇ ରହିଥିଲେ। ମାର୍ଚ୍ଚ ୩୦ରେ ପରୀକ୍ଷା ପାଇଁ ତାଙ୍କ ନମୂନା ସଂଗ୍ରହ କରାଯାଇଥିଲା। ମାର୍ଚ୍ଚ ୩୧ରେ ସେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ବୋଲି ବାଗ୍‌ଚୀ କହିଛନ୍ତି।

Share