Categories: ନୟାଗଡ଼

ଦୁବାଇରେ ୧୦ ଓଡ଼ିଆ ଶ୍ରମିକ ନିର୍ଯାତିତ : ଫସିଛନ୍ତି ଦାଦା, ପୁତୁରା

ନୟାଗଡ଼ ଅଫିସ,୩୧।୫-ଦୁବାଇକୁ କାମ କରିବାକୁ ଯାଇଥିବା ୧୦ ଜଣ ଓଡିଆ ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଛି । ସେମାନଙ୍କ ମଧ୍ୟରେ ନୟାଗଡର ୨ଜଣ ଅଛନ୍ତି। ସେଠାରେ ସେମାନେ ନଜରବନ୍ଦୀ ରହିଥିବା ଓ ପାଖରେ ଅର୍ଥ ନ ଥିବାରୁ ଫେରି ଆସି ପାରୁନାହାନ୍ତି। ଫଳରେ ସେଠାରେ ଫସିଥିବା ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡ଼ିଆରେ ଭାଇରାଲ କରିଛନ୍ତି।
ହୋଇଥିବା ଭିଡି଼ଓରୁ ଜଣାପଡିଛି ଯେ, ଖୋର୍ଦ୍ଧା ଜିଲା ବାଲୁଗାଁ ଅଞ୍ଚଳର ଜଣେ ଦଲାଲ ମାସକୁ ୩୫ ହଜାର ଟଙ୍କା ଦରମା ମିଳିବ ବୋଲି କହି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୦ ଜଣ ଯୁବକଙ୍କୁ ଦୁବାଇ ପଠାଇଥିଲେ। ଏପରିକି ପ୍ରତ୍ୟେକଙ୍କ ଠାରୁ ୮୦ ହଜାର ଟଙ୍କା ଲେଖାଏ ଅଗ୍ରିମ ମଧ୍ୟ ନେଇଥିଲେ। ୧୧ ମାସ ହେଲାଣି ସେମାନେ ସେଠାରେ କାମ କରୁଥିବା ବେଳେ ସେମାନଙ୍କୁ ଦରମା ଦିଆ ନ ଯାଇ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ପ୍ରକାଶ କରିଛନ୍ତି। ଫସିଥିବା ୧୦ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରେ ନୟାଗଡ଼ ଜିଲାର ଦୁଇ ଜଣ ଅଛନ୍ତି। ସେମାନେ ହେଲେ ଓଡ଼ଗାଁ ବ୍ଲକ ଗୋଡ଼ିପଡ଼ା ଫାଣ୍ଡି ଅନ୍ତର୍ଗତ କୁରୁଡ଼ଙ୍ଗ ଗ୍ରାମର ପ୍ରତାପ ମହାରଣା(୨୫) ଓ ଗୁମାନ ମହାରଣା(୪୦)। ପ୍ରତାପ ଓ ଗୁମାନ ସମ୍ପର୍କରେ ଦାଦା ପୁତୁରା । ଗ୍ରାମରେ କିଛି କାମ ନ ମିଳିବାରୁ ରୋଜଗାର ଆଶାରେ ଦଲାଲ ଜରିଆରେ ୧୧ ମାସ ତଳେ ଦୁବାଇ ଯାଇଛନ୍ତି। ସେଠାରେ ରହି ସିଣ୍ଟରିଂ କାମ କରୁଛନ୍ତି। ସେମାନଙ୍କୁ ସେଠାରେ ଅକଥନୀୟ ନିର୍ଯାତନା ଦିଆଯାଉଥିବା ପ୍ରତାପଙ୍କ ମାଆ ରମା ପ୍ରକାଶ କରିଛନ୍ତି । ଠିକ୍‌ ଭାବରେ ଖାଇବାକୁ ଦିଆଯାଉନାହିଁ। ସକାଳେ ଭାତ ଡାଲି ଦିଆଯାଉଥିବା ବେଳେ ରାତିରେ ରୁଟି ପିଆଜ ଦିଆଯାଉଛି। ପୁଅ ଏ ନେଇ ଫୋନ୍‌ ଯୋଗେ କହିବା ପରେ ପରିବାର ଲୋକ ବାଲୁଗାଁ ଠାରେ ଥିବା ଦଲାଲଙ୍କୁ ଦେଖା କରିଥିଲେ । ହେଲେ ସେ ସେମାନଙ୍କ କଥାକୁ ଏଡ଼ାଇ ଦେଉଛନ୍ତି। ପୂର୍ବରୁ ପୁଅ ଫୋନ୍‌ କରୁଥିବା ବେଳେ ପାଖାପାଖି ମାସେ ହେଲାଣି ଆଉ ଫୋନ୍‌ କରି ନାହିଁ। ସେମାନେ ସେଠାରେ ନିର୍ଯାତନା ପାଉଥିବା ଓ ଅସହାୟ ହୋଇ ପଡିଥିବା ନେଇ ଭିଡ଼ିଓ ଦେଖିବା ପରେ ପରିବାର ଲୋକ ଆଶା ଆଶଙ୍କାରେ ରହିଛନ୍ତି। ଏ ନେଇ ଗୋଡ଼ିପଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ ନନ୍ଦ କୁହନ୍ତି ଆମେ ଉକ୍ତ ଗ୍ରାମରେ ପହଞ୍ଚତ୍ ବୁଝାବୁଝି କରୁଛୁ । ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି ପ୍ରକାଶ କରିଥିଲେ। ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୂୁ ଉଦ୍ଧାର କରିବା ପାଇଁ ସାଧାରଣରେ ଦାବି ହେଉଛି।