ଦୁର୍ଗମ ଅଞ୍ଚଳକୁ ରାସ୍ତା କାମ ଶୁଭାରମ୍ଭ

ଖଜୁରିପଡ଼ା,୪ା୧୨-କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ସୁଡ୍ରୁକୁମ୍ପା ପଞ୍ଚାୟତ ଜାଣମେଣି, କାଳିଆମ୍ବା ଓ ଦୁର୍ଗମ ଅଞ୍ଚଳ ଗ୍ରାମବାସୀଙ୍କ ଦୀର୍ଘବର୍ଷର ଅଭିଯୋଗ ପରେ ରାସ୍ତା କାମ ଆରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର ବର୍ଷେ ତଳେ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି।
ସୁଡ୍ରୁକୁମ୍ପା ପଞ୍ଚାୟତ ଜାଣମେଣି ଓ କାଳିଆମ୍ବା ଗ୍ରାମକୁ ରାସ୍ତା ଥିଲେ ମଧ୍ୟ ଗାଡ଼ି ଓ ସାଇକେଲ ଯିବା କଷ୍ଟକର ହେଉଛି। ପାହାଡ଼ ପର୍ବତ ଘେରା ପାଦଚଲା ରାସ୍ତାକୁ ଭରସା କରି ପର୍ଯ୍ୟନ୍ତ ଲୋକମାନେ ଯିବା ଆସିବା କରି ଚଳୁଥିଲେ। କିନ୍ତୁ ରୋଗରେ ଯେତେବେଳେ ଲୋକମାନେ ପଡ଼ନ୍ତି କିମ୍ବା ମହିଳାମାନେ ପ୍ରସବ ସମୟରେ ଖଟିଆରେ ବୁହା ହୋଇ ଜାତୀୟ ରାଜପଥରେ ପହଞ୍ଚତ୍ଲା ପରେ ସେଠାରୁ କୌଣସି ଯାନବାହନ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଯାଇଥାନ୍ତି। ଏପରିକି ଖଟିଆରେ ବୋହି ଅଣାଗଲା ବେଳେ ବାଟରେ ମୃତ୍ୟୁ ହୋଇଥିବା ଅଞ୍ଚଳବାସୀଙ୍କଠାରୁ ଶୁଣିବାକୁ ମିଳେ। ଏପରିକି ସରକାରୀ ଅଫିସ କର୍ମଚାରୀ ହୁଅନ୍ତୁ କିମ୍ବା ରାଜନେତା ସେହି ଅଞ୍ଚଳକୁ ଯିବାକୁ ହେଲେ ଚାଲି ଚାଲି ଯିବାକୁ ପଡ଼େ ବୋଲି କେହି ଯାଇ ନ ଥାନ୍ତି। ଏକ ବର୍ଷ ତଳେ ଉକ୍ତ ଅଞ୍ଚଳକୁ ବ୍ଲକ ଅଧ୍ୟକ୍ଷ କହଁର ଯାଇ ଗ୍ରାମବାସୀଙ୍କୁ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ରାସ୍ତା ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଇ ନିର୍ମାଣ କାମର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ଦିନ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ଖଜୁରିପଡ଼ା ତହସିଲଦାର ତଥା ଏବିଡିଓ ମନୋଜ କୁମାର ପାଢ଼ୀ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ, କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ପାତ୍ର, ରାଜସ୍ବ ନିରୀକ୍ଷକ ସୁନିଲ କୁମାର ଦିଗାଲ, ବିକ୍ରମ ପ୍ରଧାନ, କିଷିରି ଝାଙ୍କର, ବନପାଳ ମହେନ୍ଦ୍ର ବିଶ୍ୱାଳ, ଜିଲା ପରିଷଦ ସଭ୍ୟା ଅନୁରାଧା ସାହୁ, ସରପଞ୍ଚ ସୁନିତା ଜାନୀଙ୍କ ମିଳିତ ସହଯୋଗରେ ରାସ୍ତା ନିର୍ମାଣ କାର୍ଯ୍ୟର ଉଦ୍‌ଘାଟନ କରିଥିଲେ।

Share