ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ଭବାନୀପାଟଣା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଏବେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଗାଁର ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା ଧାନ ଓ ମାଣ୍ଡିଆ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି। ବନ ବିଭାଗର ସୂଚନା ଅନୁସାରେ କିଛିଦିନ ହେଲା ଏହି ହାତୀପଲ ବେଡ଼ାଗାଁ ପଞ୍ଚାୟତର ବିଭିନ୍ନ ଗାଁରେ ଫସଲ ନଷ୍ଟ କରିବା ସହ ଅନେକ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ହାତୀ ପୋଖରୀବନ୍ଧ ଆଡ଼କୁ ମୁହଁାଇଛନ୍ତି। ପ୍ରଥମେ ଗାଁର ଠେଲା ମାଝିଙ୍କ ଖଳାରେ ଗଦା ହୋଇଥିବା ୭କୁଇଣ୍ଟାଲ ଧାନ ଖାଇ ଦେଇଥିଲେ। ରିଞ୍ଜା ମାଝ,ଧ୍ରୁବ ମାଝିଙ୍କ ଧାନ ଓ ମାଣ୍ଡିଆ ଚାଷକୁ ଦଳି ଚକଟି ଦେଇଥିଲେ। ପରେ ଗାଁରେ ପଶି ଲକ୍ଷ୍ମଣ ମାଝି, ତୁପୁରା ମାଝି, କ୍ରିଷ୍ଣା ମାଝି, ସୁଶାନ୍ତି ମାଝି ଓ ବୁଡୁ ମାଝିଙ୍କ ଘର ଭାଙ୍ଗି ଦେଇଛନ୍ତି। ବନ ବିଭାଗ ପକ୍ଷରୁ ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ତଦନ୍ତ କରି ଫେରି ଆସିଛନ୍ତି। ଘଟଣାକୁ ନେଇ ବ୍ଲକ ଅଧ୍ୟକ୍ଷ ଇ.ଫକୀର ମୋହନ ମାଝି କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କୁ ପଲିଥିନ ଯୋଗାଇ ଦେବା ପାଇଁ ଲାଞ୍ଜିଗଡ଼ ତହସିଲଦାରଙ୍କୁ ଅନୁରୋଧ କରିଛନ୍ତି। ବିପନ୍ନ ପରିବାର ଖୋଲା ଆକାଶ ତଳେ ପ୍ରଶାସନିକ ସହାୟତାକୁ ଚାହିଁ ରହିଛନ୍ତି।