Categories: ମେଟ୍ରୋ

ଦୁର୍ଗାପୂଜା ପାଇଁ ୫ଦିନ ଟ୍ରାଫିକ କଟକଣା : ଅପରାହ୍ନ ୪ରୁ ରାତି ୨ଟା ସହରକୁ ଭାରିଯାନ ମନା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଦୁର୍ଗାପୂଜା ପାଇଁ ସହରର ରାସ୍ତା ଓ ମଣ୍ଡପ ନିକଟରେ ପ୍ରବଳ ଗହଳି ହେବ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା କରାଯାଇଛି। ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହର ଭିତରକୁ ଭାରିଯାନ ପଶିପାରିବ ନାହିଁ। ଶୁକ୍ରବାରଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ନିୟମ ଉଲ୍ଲଂଘନ କଲେ ଗାଡ଼ି ଜବତ କରିବା ସହ ଜରିମାନା କରାଯିବ ବୋଲି କମିଶରେଟ ପୋଲିସ ପକ୍ଷରୁ କୁହାଯାଇଛି। ମାତ୍ରାଧିକ ଯାନବାହନ ଓ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପଟୁ ଆସୁଥିବା ଭାରିଯାନଗୁଡିକୁ ପିତାପଲ୍ଲୀଠାରୁ ଚନ୍ଦକା, ବାରଙ୍ଗ ଦେଇ ବାଲିକୁଦାଠାରେ ଜାତୀୟ ରାଜପଥ ଦେଇ ଚଳପ୍ରଚଳ କରିବ। ସିଆର୍‌ପି ଛକଠାରୁ ବିଦ୍ୟୁତ୍‌ ମାର୍ଗ ଯିବା ପାଇଁ ଯାନବାହାନଗୁଡିକ ଏକାମ୍ର ଭିଲ୍ଲା ଦେଇ ଯାଇପାରିବେ। ରାବଣ ପୋଡ଼ି ଦିନ କଟକ ପଟୁ ଏନ୍‌ଏଚ୍‌-୧୬ ଦେଇ ଆସୁଥିବା ଗାଡ଼ିମୋଟର ଜୟଦେବ ବିହାର ଛକଠାରୁ ସିଆର୍‌ପି ଛକକୁ ଯିବା ନିମନ୍ତେ ଏନ୍‌ଏଚରେ ନ ଯାଇ ବେହେରା ସାହି, ଶାସ୍ତ୍ରୀନଗର, ପାଓ୍ବାର ହାଉସ୍‌ ଏବଂ ୟୁନିଟ-୮ ଡିଏଭି୍‌ ସ୍କୁଲ ଦେଇ ଯାଇପାରିବେ। ଏହି ଦିନଗୁଡିକରେ ଯାତ୍ରୀଙ୍କ ସୁବିଧାକୁ ଦେଖି ପୁରୀରୁ ଭୁବନେଶ୍ୱର ଆସୁଥିବା ବସ୍‌ଗୁଡିକ ଲିଙ୍ଗିପୁର ଛକରୁ ସାମନ୍ତରାପୁର, କଳ୍ପନା, ରାଜମହଲ, ଶିଶୁଭବନ, ଗଙ୍ଗନଗର, ଫାୟାରଷ୍ଟେଶନ ଦେଇ ବରମୁଣ୍ଡା ଯିବେ। ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍‌ଗୁଡ଼ିକ ସମାନ ରାସ୍ତା ଦେଇ ଶିଶୁଭବନ ଛକ, ମାଉସିମା, ମ୍ୟୁଜିୟମ ଛକ ଓ ଲିଙ୍ଗିପୁର ଦେଇ ପୁରୀ ଯିବ।

Share