ଦୁର୍ଗାପୂଜା ଭିଡ଼ରେ ମାତିଲେ ଲୁଟେରା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଚଳିତ ବର୍ଷ ଦୁର୍ଗାପୂଜା ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ସିସିଟିଭି ସହ ବ୍ୟାପକ ପୋଲିସ ଫୋର୍ସ ଓ ଏସ୍‌ପିଓ ବ୍ୟବସ୍ଥା ହୋଇଛି। ଏହାସତ୍ତ୍ୱେ ଲୁଟେରାମାନେ ଉତ୍ପାତ କରୁଛନ୍ତି। ବିଭିନ୍ନ ସ୍ଥାନରୁ ୧୦ ସୁନାଚେନ ଓ ୧୫ରୁ ଊର୍ଦ୍ଧ୍ୱ ମୋବାଇଲ୍‌ ଫୋନ୍‌ ଲୁଟି ନେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନାନୁସାରେ, ନୟାପଲ୍ଲୀ ବେହେରା ସାହି ଅଞ୍ଚଳର ଅଞ୍ଜୁଲତା ରାୟ ଲୁଟ୍‌ର ଶିକାର ହୋଇଛନ୍ତି। ସେ ପୂଜାମଣ୍ଡପ ପରିସରରେ ମା’ଙ୍କୁ ଦର୍ଶନ ପାଇଁ ଧାଡ଼ିରେ ଠିଆ ହୋଇଥିବାବେଳେ ତାଙ୍କ ବେକରୁ ଦେଢ ଭରି ଓଜନର ସୁନା ଚେନକୁ କେହି ଲୁଟି ନେଇଥିଲେ। ପୋଲିସ ପୂଜାମଣ୍ଡପରେ ଲାଗିଥିବା ସିସିଟିଭି ଫୁଟଜକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଲକ୍ଷ୍ମୀସାଗର ଏବଂ ଖଣ୍ଡଗିରି ଅଞ୍ଚଳର ଦୁଇଜଣ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ ଓ ମୋବାଇଲ ଫୋନ୍‌ ଲୁଟ ହୋଇଛି। ପଳାଶୁଣୀ ପୂଜାମଣ୍ଡପରେ ଦର୍ଶନ କରୁଥିବାବେଳେ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଖଣ୍ଡଗିରି ଥାନାଞ୍ଚଳରେ ମଧ୍ୟ ଜଣେ ଯୁବକଙ୍କଠାରୁ ପର୍ସ ଓ ମୋବଇଲ ଫୋନ୍‌ ଲୁଟ ହେବା ନେଇ ଅଭିଯୋଗ ହୋଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ୩ଜଣ ମହିଳାଙ୍କର ଭ୍ୟାନିଟି ଓ ମୋବାଇଲ ଫୋନ୍‌ ଲୁଟି ନେଉଥିବା ଜଣେ ଲୁଟେରାଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି। ସେହିଭଳି ନୟାପଲ୍ଲୀ ଓ ମଞ୍ଚେଶ୍ୱର ଥାନା ପୋଲିସ ଲୁଟ୍‌ ଘଟଣାରେ କେତେଜଣ ମହିଳା ଓ ଯୁବକଙ୍କୁ ଧରି ପଚରାଉଚରା କରୁଛି। ତେବେ ଆହୁରି ଏପରି ଅନେକ ଲୁଟ୍‌ ଘଟଣା ଘଟିଥିଲେ ମଧ୍ୟ ଥାନାରେ ଅଭିଯୋଗ ହୋଇ ନ ଥିବା ଜଣାପଡିଛି।

Share