Categories: ଜାତୀୟ

ଦୁର୍ଘଟଣାରୁ ପୋଲିସ-ଅଟୋ ଡ୍ରାଇଭର ମୁହାଁମୁହିଁ

ନୂଆଦିଲ୍ଲୀ,୧୮ା୬: ଦିଲ୍ଲୀର ମୁଖାର୍ଜୀ ନଗରରେ ଜଣେ ଅଟୋ ଡ୍ରାଇଭର୍‌ ଓ ପୋଲିସ ମଧ୍ୟରେ ବଚସାରୁ ଲଙ୍କାକାଣ୍ଡ ସୃଷ୍ଟି ହୋଇଛି। ପୋଲିସ ଗାଡ଼ି ଓ ଅଟୋ ମଧ୍ୟରେ ଦୁର୍ଘଟଣାକୁ ନେଇ ବଚସା ହୋଇଥିଲା। ପରେ ଅଟୋ ଡ୍ରାଇଭର୍‌ ଜଣକ ଏକ ଖଣ୍ଡା କାଢ଼ି ପୋଲିସକୁ ଆକ୍ରମଣ କରିଥିଲେ। ପରେ ପୋଲିସ ରାଜରାସ୍ତାରେ ଉକ୍ତ ଅଟୋ ଡ୍ରାଇଭର୍‌କୁ ଲାଠିରେ ପିଟିବା ସହ କାବୁ କରିଥିଲା। ଡ୍ରାଇଭର୍‌ଙ୍କ କହିବା ଅନୁଯାୟୀ ପୋଲିସ ତାଙ୍କୁ ଓ ତାଙ୍କ ପୁଅଙ୍କୁ ନିର୍ମମଭାବେ ମାଡ଼ ମାରିବାରୁ ସେ ଏଭଳି ପଦକ୍ଷେପ ନେଇଥିଲେ। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।
ଭାଜପା ଏମ୍‌ପି ମନ୍‌ଜିନ୍ଦର ସିଂ ପୋଲିସକୁ ଦୋଷଦେଇଛନ୍ତି। ଅଟୋ ଡ୍ରାଇଭର୍‌ଙ୍କ ପଗଡ଼ିକୁ ମାଡ଼ମାରି ଅପମାନିତ କରାଯାଇଥିବା ଅଭିଯୋଗ କରିଛନ୍ତି। ଶିରୋମଣି ଅକାଳି ଦଳ ପକ୍ଷରୁ ଏହି ଘଟଣାକୁ ନେଇ ମୁଖାର୍ଜୀ ନଗର ଥାନା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମ୍ପୃକ୍ତ ପୋଲିସଙ୍କୁ ନିଲମ୍ବିତ କରିବାକୁ ଦାବି କରାଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ହସ୍ତକ୍ଷେପ ଦାବି କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ କହିଛନ୍ତି। ଏହି ଘଟଣାରେ ୩ ପୋଲିସଙ୍କୁ ନିଲମ୍ବିତ କରାଯାଇଛି।

Share