ଦୁର୍ଘଟଣାରୁ ବର୍ତ୍ତିଲା ଏଲ୍‌ଟିଟି ଏକ୍ସପ୍ରେସ୍‌

ଢେଙ୍କାନାଳ ଅଫିସ, ୬।୩ – ଭାଗ୍ୟ ସହାୟ ହେଲା। ଦୁଇଖଣ୍ଡ ହୋଇଯାଇଥିବା ରେଳଧାରଣାକୁ କୌଣସି ମତେ ଅତିକ୍ରମ କରିଗଲା ଲୋକମାନ୍ୟ ତିଲକ (ଏଲ୍‌ଟିଟି) ସୁପରଫାଷ୍ଟ ଏକ୍ସପ୍ରେସ୍‌। ଫାଟ ଅତିକ୍ରମ କରିବା ସମୟରେ ଟ୍ରେନ୍‌ ଭାରସାମ୍ୟ ହରାଇ ଦୋହଲିଥିଲା। ଏମିତି ଲାଗୁଥିଲା ଟ୍ରେନ୍‌ ଟ୍ରାକ୍‌ ବାହାରକୁ ଚାଲିଯିବ। ହେଲେ ସୌଭାଗ୍ୟବଶତଃ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ଅନ୍ୟପଟେ ଦୁର୍ଘଟଣାରୁ ବର୍ତ୍ତିଯାଇଥିବାରୁ ଯାତ୍ରୀମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଛନ୍ତି। ଢେଙ୍କାନାଳ ଜିଲା ମହାଦିଆ ପାସେଞ୍ଜର ହଲ୍‌ଟ ନିକଟରେ ଗୁରୁବାର ସକାଳେ ଘଟିଥିବା ଏହି ଘଟଣା ଆଲୋଚନାର ବିଷୟ ହୋଇଛି।
ଓଡ଼ାପଡା ବ୍ଲକ ସଦାଶିବପୁର-ହିନ୍ଦୋଳ ରୋଡ୍‌ ମଧ୍ୟରେ ରହିଛି ମହାଦିଆ ପାସେଞ୍ଜର ହଲ୍‌ଟ। ଏହାର ଅନତି ଦୂରରେ ରେଳ ଧାରଣା ଦୁଇଖଣ୍ଡ ହୋଇଯାଇଯାଇଥିଲା। ସକାଳ ୬ଟାରେ ବମ୍ବେ-ଭୁବନେଶ୍ୱର ଲୋକମାନ୍ୟ ତିଲକ ସୁପରଫାଷ୍ଟ ଏକ୍ସପ୍ରେସ୍‌ ଟ୍ରାକ୍‌ ଅତିକ୍ରମ କରିବା ସମୟରେ ଭାରସାମ୍ୟ ହରାଇ ଜୋର୍‌ରେ ହଲିଥିଲା। ତେବେ ଟ୍ରେନ୍‌ଟି ଧାରଣା ଅତିକ୍ରମ କରିଯିବାରୁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିଲା। ଏ ନେଇ ସେଠାରେ ଉପସ୍ଥିତ କେତେଜଣ ଲୋକ ରେଲଓ୍ବେ ଫାଟକ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍‌ ମରାମତି କରିଥିଲେ। ଏଥିଲାଗି ଅନୁଗୋଳ-ପୁରୀ, ତାଳଚେର-ପୁରୀ ପାସେଞ୍ଜର ଟ୍ରେନ୍‌ ଦେଢ଼ଘଣ୍ଟା ବିଳମ୍ବରେ ଚାଲିଥିଲା।

Share