ଦୁର୍ଘଟଣାରୁ ବର୍ତ୍ତିଲା ବସ୍‌, ୫୦ ପର୍ଯ୍ୟଟକ ସୁରକ୍ଷିତ

ଦାରିଙ୍ଗବାଡ଼ି/ ସୋରଡା, ୫।୨(ଡି.ଏନ.ଏ.) -କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ଗାଜଲବାଡ଼ି ୯ ନଂ.ଘାଟି ବୁଲାଣୀ ରାସ୍ତାରେ ବୁଧବାର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛି ଏକ ଘରୋଇ ବସ୍‌। ୫୦ପର୍ଯ୍ୟଟକଙ୍କୁ ନେଇ ଏହି ବସ୍‌ ଦାରିଙ୍ଗବାଡିରୁ ଭୁବନେଶ୍ୱର ଫେରୁଥିଲା। ସୂଚନାପ୍ରକାରେ, ଭୁବନେଶ୍ୱରରୁ ଏକ ଘରୋଇ ବସ୍‌ ନଂ(ଓଡି୦୨-ବିଜି-୪୪୧୧) ନେଇ ପ୍ରାୟ ୫୦ ଜଣ ଯାତ୍ରୀ ଦାରିଙ୍ଗବାଡ଼ିକୁ ବୁଲିବାକୁ ବୁଧବାର ଆସିଥିଲେ। ବୁଲାବୁଲି କରି ସନ୍ଧ୍ୟାରେ ଭୁବନେଶ୍ୱର ଫେରୁଥିଲେ। ଦାରିଙ୍ଗବାଡ଼ିରୁ ପ୍ରାୟ ୧୭ କି.ମି. ଯିବା ପରେ ଗାଜଲବାଡ଼ି ଘାଟିର ୯ ନଂ ବୁଲାଣୀରେ ଚାଳକ ବସ୍‌ଟିକୁ ବୁଲାଇ ପାରି ନ ଥିଲେ। ଫଳରେ ଗାଡ଼ିଟି ଘାଟି ତଳକୁ ଖସିବା ସହ ଅଧା ରାସ୍ତା ଉପରେ ସମ୍ମୁଖ ଭାଗ ଝୁଲି ରହିଯାଇଥିଲା। ଏଥିରେ କେତେକ ପର୍ଯ୍ୟଟକ ସାମନ୍ୟ ଆହତ ହୋଇଥିଲେ। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଏବଂ ସୋରଡ଼ା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ସୋରଡ଼ା ଆଇଆଇସି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ରବିବାର ମଧ୍ୟ ଏକ ଟ୍ରକ୍‌ ଗାର୍ଡ଼ ୱାଲ ନ ଥିବାରୁ ଘାଟି ତଳକୁ ଖସିବାରୁ ଅଳ୍ପକେ ରକ୍ଷା ପାଇଥିଲା। ଗାର୍ଡ଼ ୱାଲ୍‌ ନିର୍ମାଣରେ ବିଳମ୍ବ ଯୋଗୁ ଉକ୍ତ ଘାଟିରାସ୍ତାରେ ଦୁର୍ଘଟଣା ବଢୁଛି।

Share