Categories: ଜାତୀୟ

ଦୁର୍ଘଟଣାରେ ଗଲା ୨୬ ଜୀବନ

ଚେନ୍ନାଇ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌):ତାମିଲନାଡୁରେ ଗୁରୁବାର ଦୁଇଟି ରାସ୍ତା ଦୁର୍ଘଟଣାରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ତିରୁପୁର ଜିଲା ଅନ୍ତର୍ଗତ ଅବିନାଶୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ମହିଳା ଅଛନ୍ତି। ଟାଇଲ୍‌ ନେଇ ଆସୁଥିବା ଏକ ଟ୍ରକ୍‌ର ଆଗଚକ ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକ୍‌ଟି ବେଙ୍ଗାଲୁରୁରୁ ଏର୍ନାକୁଲମ୍‌ ଯାଉଥିବା କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ତିରୁପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତରଙ୍କୁ କୋଏମ୍ବାଟୁର ସ୍ଥାନାନ୍ତର କରାଯାଇଛି।
ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ବାମୀ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିବା ସହ ଆହତ ୨୩ ଯାତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର ଯୋଗେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍‌ ଶୋକବ୍ୟକ୍ତ କରିବା ସହ ଦୁଇଜଣ ମନ୍ତ୍ରୀଙ୍କୁ ରିଲିଫ କାର୍ଯ୍ୟରେ ସହାୟତା ପାଇଁ ତାମିଲନାଡୁ ପଠାଇଛନ୍ତି। ତିରୁପୁର ଜିଲା ପ୍ରଶାସନ ସହ କେରଳ ସରକାର ନିୟମିତ ଯୋଗାଯୋଗରେ ଅଛନ୍ତି।
ତାମିଲନାଡୁର ସାଲେମ ଜିଲାରେ ଅନ୍ୟ ଏକ ଦୁର୍ଘଟଣାରେ ୬ ଜଣ ନେପାଳୀ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ସହ ୨୪ ଆହତ ହୋଇଛନ୍ତି। କନ୍ୟାକୁମାରୀରୁ ରାଜସ୍ଥାନ ଯାଉଥିବା ସେମାନଙ୍କ ଭ୍ୟାନ୍‌ ଏକ ବସ୍‌କୁ ଧକ୍କା ଦେଇଥିଲା।

Share