ଦୁର୍ଘଟଣାରେ ଗୁରୁତରଙ୍କୁ ସହାୟତାର ହାତ ବଢ଼ାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼,୨୦।୩ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ପୋଲିସ ଦ୍ୱାରା ନିଃସ୍ବାର୍ଥପର ସେବା ପାଇଁ ଶୁକ୍ରବାର ଜଣେ ଯୁବକଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ହେଉଥିବା ଭଲ ମଣିଷ କାର୍ଯ୍ୟକ୍ରମ (ଗୁଡ୍‌ ସମରିଟାନ) ମାଧ୍ୟମରେ ସମ୍ମାନିତ କରାଯାଇଛି। ଯୁବକ ଜଣକ ହେଲେ ବାଙ୍କିବାହାଲ ଗ୍ରାମର ସୁଦୀପ୍ତ ରଞ୍ଜନ ସୁଆର।
ଗତ ଜାନୁୟାରୀ ୨୯ରେ ପାଟଣାଗଡ଼ ଥାନା ଅନ୍ତର୍ଗତ ବାଙ୍କିବାହାଲ ଗ୍ରାମ ଦେଦର୍ହ ଛକ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ନେହେନାବନ୍ଧ ଗ୍ରାମର ପିତ ଛତ୍ରିଆ ଗୁରୁତର ହୋଇଥିଲେ। ଘଟଣାସ୍ଥଳରେ ଅନେକ ଲୋକ ଥିଲେ ମଧ୍ୟ କେସ୍‌ ଏବଂ ସାକ୍ଷ୍ୟ ହେବା ଭୟରେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆସ ନ ଥିଲେ। ମାତ୍ର ସୁଦୀପ୍ତ ପହଞ୍ଚି ଗୁରୁତରଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ତାଙ୍କ ଜୀବନ ରକ୍ଷା କରିଥିଲେ। ତେବେ ଏହି ଘଟଣାକୁ ନେଇ ଶୁକ୍ରବାର ସୁଦୀପ୍ତଙ୍କୁ ପାଟଣାଗଡ଼ ପୋଲିସ ଏସ୍‌ଡିପିଓ ସୁରେଶ ଚନ୍ଦ୍ର ନାଏକ ଏବଂ ଥାନାଧିକାରୀ କେ. ପ୍ରିୟଙ୍କା ରାଉତରାୟ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲୋକଙ୍କୁ ସାହାଯ୍ୟ କଲେ ତାଙ୍କ ନାମ ଗୋପନ ରଖିବା ସହିତ ତାଙ୍କୁ ସରକାରଙ୍କ ତରଫରୁ ସମ୍ମାନିତ କରାଯିବ ଏବଂ ତାଙ୍କୁ କୌଣସି ପ୍ରକାର ମକଦ୍ଦମାରେ ସାକ୍ଷୀ ହିସାବରେ ପୋଲିସ ରଖିପାରିବ ନାହିଁ । ଏଣୁ ପାଟଣାଗଡ଼ ପୋଲିସ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଛି।

Share